Unknown

 

 

 

 

 

 

 

 

 

 

 

ଏଇ ମୋ ମାଟି ମାଆ

ଜଗନ୍ନାଥ ମହାନ୍ତି

 

ସୂଚୀପତ୍ର

 

୧.

ଆମ ଜାତିର ରଥଯାତ

୨.

ବାପୁଜୀଙ୍କ ଗମରାଜ୍ୟ

୩.

ଗୋଟିଏ ମାଆର କୋଟି କୋଟି ଆମେ

୪.

କିଏ ବଡ଼ ?

୫.

ଆନନ୍ଦ-ଉଲ୍ଲାସ ଉତ୍ସବରେ ଲୁହଲହୁର ଧାର

୬.

ଏଇ ମୋ ଦେଶ ମାଟି, ଆଦରର ମାଆଟି

୭.

ମଣିଷ ଦେହେ ଦିବ୍ୟଜ୍ଞାନ

Image

 

ଆମଜାତିର ରଥଯାତ୍ର

 

ପୁରୀଠାରୁ ଦୁଇ କିଲୋମିଟର ଦୂର । କଲ୍ୟାଣପୁର ଗାଁ । ଭାରତର ବିଭିନ୍ନ ଅଞ୍ଚଳର ପଚାଶଜଣ ଛାତ୍ରଛାତ୍ରୀ ଏକଜୁଟ ହୋଇଛନ୍ତି । ସେମାନେ ଗୋଟିଏ ଯୁବମେଳାରେ ଯୋଗ ଦେବାକୁ ଆସିଛନ୍ତି ।

 

ସମସ୍ତଙ୍କର ବୟସ ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ଭିତରେ । ସେମାନଙ୍କ ପୋଷାକପତ୍ର ଅଲଗା ଅଲଗା । ଭିନ୍ନ ଭିନ୍ନ ଭାଷାରେ ସେମାନେ କଥାବାର୍ତ୍ତ କରନ୍ତି । ସବୁରି ଚେହେରା ଫରକ ଫରକ ।

 

ହେଲେ ସବୁରି ମୁହଁ ହସ ହସ । ଆନନ୍ଦ ଉଲ୍ଲାସରେ ସମସ୍ତେ ଫାଟି ପଡ଼ୁଛନ୍ତି । ସମସ୍ତଙ୍କ ଭିତରେ ସ୍ନେହମମତାର ଅତୁଟ ବନ୍ଧନ । ସତେ ଯେପରି ସେମାନେ ବହୁଦିନର ପରିଚିତି, ଘନିଷ୍ଠ ବନ୍ଧୁ । ସେମାନଙ୍କ ଭିତରେ ଜଣଙ୍କୁ ନଦେଖି ଆଉ ଜଣେ ବାଉଳା । ଜଣଙ୍କ ଆଖିରେ ଲୁହ ଦେଖିଲେ ଆଉ ଜଣକ ଛାତି କରତି ହୋଇଯାଏ । ଦଳ ଦଳ ହୋଇ ବୁଲାବୁଲି କରୁଛନ୍ତି ।

 

ସେମାନଙ୍କର ଖଳ ଖଳ ହସ, ଗୁଣୁ ଗୁଣୁ ଗୀତ ଆଉ ଗଡ଼ ଗଡ଼ କଥାବାର୍ତ୍ତାରେ ତରୁଣ ଜୀବନର ମାଦକତା ଆଉ ଯୁବକର ଆବେଗ ଉଚ୍ଛ୍ୱାସ ଫୁଟି ଉଠୁଛି । କଲ୍ୟାଣପୁରର ଲମ୍ୱା ଲମ୍ୱା ଅଣଓସାରିଆ ରାସ୍ତା, ଶାଗୁଆ ତୋଟାବଣ, ଦରଶୁଖିଲା ସରୁଆ ନଈଧାର ଆଉ ବଡ଼ ନୂଆ ପୋଖରୀ କୂଳ ଯେପରି ବହୁ ଯୁଗର ନିର୍ଜନତା ତେଜି ଆଜି ନୂଆ ବେଶ ଧରିଚି । ନୂଆ ଜୀବନ, ନୂଆ ଚେତନା ନେଇ ଖାଲି ସେ ଗାଁଟି କାହିଁକି ସେ ଅଞ୍ଚଳଟି ଚେଇଁ ଉଠିଛି ।

 

ଗାଁ ଗୋଟାକର ସବୁରି ତୁଣ୍ତରେ ଆଜି ସେଇ ଗୋଟିଏ କଥା । ସେଇ ବିଷୟରେ ଆଲୋଚନା । ପୁରୁଣା ଭାଗବତ ଟୁଙ୍ଗୀ ଆଜି କ୍ଳବ୍‌ ଘରର ରୂପ ନେଇଚି । ସଞ୍ଜ ଲାଗି ଆସିଲାଣି । ସେଠି ଗାଁର ବାରପଣ ଲୋକ ଜମା ହେଲେଣି । ଗାଁର ବଡ଼ ବୁଢ଼ା ଚଇତନ ଦାସ ହସି ହସି କହିଲେ–ପିଲାଏ, ଆମ ଗାଁରେ କାଲି ରଥଯାତ । ଆଜିଠୁଁ ଯାତ୍ରିଏ ଜମିଗଲେଣି । ଯାତପାଇଁ ସବୁ ସଜବାଜ ହୋଇଗଲାଣି । ଆମେ ସବୁ ଯାଇ ଦେଖିବା ।

 

ହୁରୁଷି ତାଙ୍କର ହିସାବରେ ନାତି । ଅନେକ କଥା ସେ ଜାଣି ଜାଣି ଅଜାଙ୍କୁ ପଚାରି ବସେ । କାରଣ ଅଜାଙ୍କର ପାକୁଆ ପାଟିରୁ ରସରସିଆ କଥାଗୁଡ଼ାକ ଆମ୍ୱଟାକୁଆରୁ ମିଠାରସ ଚୁଚୁମେଇ ଖାଇଲା ପରି ଲାଗେ । ହୁରୁଷି ପଚାରିଲା କ’ଣ ଅଜା, ରଥଯାତ ? କୋଉଠି ? ଦଶ’ରା ବେଳେ କି ରଥଯାତ ? କ’ଣ ତମେ ସପନ ଦେଖିଲ କି ?

 

ଚଇତନ ଦାସ ଗଳାଖଙ୍କାରି କହିଲେ–ଆରେ ତୁ ଖାଲି ଓଲୁ ନୁହଁ । ଓଲୁଙ୍କର ବୁକୁଚାବୁହା ! ହଇରେ ପୁରୀରେ ସିନା ଆଷାଢ଼ ମାସରେ ରଥଯାତ । ହେଲେ ଆମ ଗାଁରେ ଏଇ ଅଶିଣ ମାସରେ ରଥଯାତ । ତୁ ଦେଖିଲୁ ? କେତେ ଆଡ଼ୁ କେତେ ପିଲା ଆସି ତମ୍ୱୁ ପକାଇ ରହିଲେଣି । ରଥଯାତରେ ପରା ଆମ ଦେଶର ସବୁଆଡ଼ୁ ଏମିତି ଲୋକ ଆସନ୍ତି ?

 

ଗାଁ ହାଇସ୍କୁଲର ହେଡ଼ମାଷ୍ଟର ଶରତବାବୁ ବଡ଼ ପାଠୁଆ ହେଲେ କ’ଣ ହେଲା, ଗାଁର କ୍ଲବ ଘରେ ମଳିମୁଣ୍ତିଆମାନଙ୍କ ପାଖରେ ବସି ବାରକଥା ଆଲୋଚନା କରିବାରେ ଭାରି ଆନନ୍ଦ ପା’ନ୍ତି । କେତେ ବେଳେ ଟିକିଏ ସମୟ ପାଇଲେ ସେ ତାଙ୍କର ସଞ୍ଜବୁଲା ସାରି ନଈକୂଳରୁ ଫେରିବା ବାଟରେ ଏଇଠି ଅଟକି ଯା’ନ୍ତି । ସେତେବେଳେ ସେ ସେଇଠି ଥିଲେ । ସେ କହିଲେ ସତ-। ପୁରୀରେ ସିନା ଜଗନ୍ନାଥଙ୍କର ରଥଯାତ୍ରା । ଆମ କଲ୍ୟାଣପୁର ଗାଁରେ କାଲି ହେବ ଆମ ଜାତିର ରଥଯାତ୍ରା । ଜଗତର ନାଥ ଜଗନ୍ନାଥ ପତିତପାବନ ହୋଇ ଖାଲି ପଥର ଦେଉଳ ଭିତରେ ରହି ପାରନ୍ତି ନାହିଁ । ବର୍ଷକେ ଥରେ ରଥରେ ବିଜେ କରନ୍ତି । ସବୁ ଶ୍ରେଣୀର ଲୋକ ହାତରେ ରଥ ଟଣା ହୋଇ ବଡ଼ଦାଣ୍ତରେ ଘୁଁ ଘୁଁ ଘର୍‌ଘର୍‌ ହୋଇ ଚାଲେ । ସବୁ ଲୋକଙ୍କର ଆଖି ପବିତ୍ର ହୁଏ । ଆତ୍ମା ଶାନ୍ତି ପାଏ । ସେଇଠି ଫୁଟି ଉଠେ ସବୁରି ଏକତା, ସବୁରି ସ୍ନେହବନ୍ଧନ ଆଉ ଭଗବାନଙ୍କ ପ୍ରତି ଭକ୍ତିଭାବର ଉଚ୍ଛୁଳା ସୁଅ ! ସେମିତି ଏ ଯେଉଁ ମେଳା କାଲିଠାରୁ ଦଶଦିନ ପାଇଁ ହେଉଚି, ସେଥିରେ ଆମରି ଶାନ୍ତିରେ ଚଳିବେ, ନିଜ ନିଜ ଭିତରେ ଥିବା ସବୁ ଭେଦଭାବ ଭୁଲିଯିବେ, ସେ ଦିଗରେ ଆମ ପିଲାମାନଙ୍କୁ ତାଲିମ ଦିଆଯିବେ, ସେ ଦିଗରେ ଆମ ପିଲାମାନଙ୍କୁ ତାଲିମ ଦିଆଯିବ, ଶିକ୍ଷା ଦିଆଯିବ । ତେଣୁ ଭାରତର ସବୁଆଡ଼ୁ ପିଲାମାନେ ଏଠାକୁ ଆସିଛନ୍ତି-

 

ଚଇତନ ଦାସ କହିଲେ–ଶୁଣିଲୁ ହଇରେ ହୁରୁଷି ! ମୋ କଥା କିମିତି ସତ ! ଆମ କଳିଯୁଗ ବଦଳିଯାଉଚି । ଆମେ ଗାଁ ଖଣ୍ତିକରେ ତିନିମେଳ । ସେଥିରେ ପୁଣି ପାଖ ଗାଁ ଇସ୍‌ମାଇଲପୁରର ପଠାଣଙ୍କ ସାଥିରେ ଅସଲ ମେଳା ମଉଚ୍ଛବ ବେଳେ ଟିକେ ଟିକେ କଥାରେ କଳି ଲାଗିଯାଉଚି ! ହେଲେ ଆମ ବେଳ ବେଗି ଚାଲିଯାଉଚି, ନୁହେଁ, ଶରତବାବୁ ?

 

ଶରତବାବୁ କହିଲେ–ଠିକ୍‌ କଥା । ଆପଣ ଯାହା କହୁଛନ୍ତି ସବୁଗୁଡ଼ାକ ସଫା ।

 

ହୁରୁଷି କହିଲା–ଅଜାଙ୍କ କଥାରେ ଆଉ ମଳି ଧୂଳି ଅଛି ? ସେତ ଷାଠିଏ ବରଷ ହେଲା ତାଙ୍କ ଜିଭକୁଲାରେ କଥାଗୁଡ଼ାକୁ ଖାଲି ପାଛୁଡ଼ି ପାଛୁଡ଼ି ରଖିଛନ୍ତି !

 

ସରପଞ୍ଚ ମଧୁ ମହାପାତ୍ର ସେଇ ଗାଁଟିରେ ବଡ଼ ମାମଲତକାର । ତାଙ୍କ ଯୋଗୁଁ ଗାଁରେ ଦୁଇଦଳ । ଦଳେ ତାଙ୍କ ପଛରେତ ଆଉ ଦଳେ ଆଗରୁ କେତେ ବର୍ଷ ଥିବା ସରପଞ୍ଚ ହରି ନାୟକଙ୍କ ପଛରେ ଅଛନ୍ତି ।

 

ମଧୁବାବୁ ଶେଷରେ ପଚାରିଲେ–ଆଚ୍ଛା ଶରତ ବାବୁ, ଆମେ ସମସ୍ତେ ମେଳାରେ ସବୁ କାମରେ ଯୋଗ ଦେଇ ପାରିବାତ ?

 

ଶରତବାବୁ କହିଲେ–ନିଶ୍ଚୟ । ଆମେ ଯେତେ ଅଧିକ ସଂଖ୍ୟାରେ ସେମାନଙ୍କ ସାଥିରେ ଯୋଗ ଦେବା ସେତେ ଭଲ । ଚଇତନବାବୁ ଯାହା କହୁଥିଲେ ଏତ ଆମ ଜାତିର ରଥଯାତ । ଆମେ ସମସ୍ତେ ଜାତିର ନନ୍ଦିଘୋଷ ରଥକୁ ଟାଣିବାକୁ ପଡ଼ିବ । ଏଠି ଆମ ଭିତରେ ଥିବା ସବୁ ବାଦବିବାଦ, ରାଗରୋଷ ଆଉ ହିଂସାଦ୍ୱେଷ ଭୁଲିଯିବା ।

 

ଚଇତନ ଦାସ କହିଲେ-ଆପଣ ଠିକ୍‌ କହିଲେ । ଜଗନ୍ନାଥଙ୍କୁ ରଥରେ ଦେଖିଲେ ଆମ ମନ ଆନନ୍ଦରେ ପୂରିଉଠେ । ଆମେ ସବୁ ଭୁଲିଯାଉ । ଏଇ ଜାତୀୟ ଉଚ୍ଛବଟିରେ ମିଶିଲେ ଆମ ଭିତର ସବୁ ବାଦଚ୍ଛେଦ ଉଭେଇ ଯିବ ପରା !

 

ହୁରୁଷି କହିଲା–ଆମରି ସ୍ୱାର୍ଥତ ଆମକୁ ଖାଉଚି । ଆମେ ଆମର ପାଞ୍ଚ ଆଙ୍ଗୁଳି ଯାକ ଏକାଠି ପାଟିରେ ପୂରାଇବାକୁ ବସିଛୁ । ଆମେ ଖାଲି କିମିତି ମାମଲତକାର ହେବୁ । ସବୁଙ୍କୁ ନିଜ ଅଧୀନରେ ରଖିବୁ, ସେଇଆ ଖାଲି ଭାବୁଚୁ । ଏଥିଯୋଗୁଁ ସଦାବେଳେ ଆମ ଭିତରେ ଦଳାଦଳି ଲାଗିଲା । ଘର ଘର, ସାଇ ସାଇ, ଗାଆଁ ଗାଆଁ ଭିତରେ ଏମିତି ଅମେଳ ଆଉ କଳିଗୋଳ ।

 

ଏ କଥା ଶୁଣି ସରପଞ୍ଚଙ୍କ ମୁହଁ ଟିକିଏ ଶୁଖିଗଲା । ସେ କହିଲେ–ଛାଡ଼ ସେ ସବୁ କଥା-। ଏବେ ଆମେ ସେଥିରେ ଯୋଗ ଦେବା କଥା ତହେଲ ?

 

ଶରତବାବୁ କହିଲେ–ଏତେବେଳେ ଆମ ଓଡ଼ିଶା ମାଟିରେ ଯୋଗ୍ୟ ପୁଅ ମଧୁବାବୁଙ୍କର ଗୋଟିଏ କଥା ମନେ ପଡ଼ିଯାଉଚି । ସେ କହିଥିଲେ ।

 

ଜାତି ନନ୍ଦିଘୋଷ ଚଳିବଳି ଭାଇ

ସ୍ୱାର୍ଥକୁ ସାରଥି କଲେ

ଟାଣେ କିରେ ଗାଡ଼ି ଦାନାର ତୋବଡ଼ା

ଘୋଡ଼ାମୁହେଁ ବନ୍ଧା ଥିଲେ ?

 

କେଡ଼େ ସୁନ୍ଦର କଥାଟିଏ ! ଜାତିକୁ ଆଗେଇ ନେବାକୁ ହେଲେ ଆମେ ଆମର ସ୍ୱାର୍ଥକୁ ଖାଲି ମୂଳ କଲେ ହେବ ନାହିଁ । ଆମେ ଏକମନ ଏକପ୍ରାଣ ହୋଇ ଜାତିର ରଥକୁ ଟାଣି ନେବା ।

 

ଚଇତନ ଦାସ ମୁରୁକି ମୁରୁକି ହସି କହିଲେ ଆପଣ ଅସଲ କଥାଟିଏ କହିଲେ । କେଡ଼େ ବଡ଼ ମହାପୁରୁଷଙ୍କ କଥା ଆଜି ଆମ କାନରେ ପଡ଼ିଲା ? ମୁଁ ରଥଯାତ ବୋଲି କହିଲା ବେଳେ ଏତେ କଥା ଭାବିନ ଥିଲି । ମାତ୍ର ଆପଣ କଥାଟାକୁ ଢେଙ୍କିଶାଳରୁ ନେଇ ଢେଙ୍କାନାଳରେ ପହଞ୍ଚେଇ ଦେଲେଣି । ସତରେ ପରା କହନ୍ତି ।

 

କହି ଜାଣିଲେ କଥା ସୁନ୍ଦର,

ବାନ୍ଧି ଜାଣିଲେ ମଥା ସୁନ୍ଦର ।

 

ହୁରୁଷି କହିଲା–ଅଜା ତକଥାର ମଞ୍ଜିଟା କହି ଦେଲେ । ଆପଣ ସେଥିରୁ ଗଛ, ଡାଳ, ପତ୍ର, ଫୁଲ, ଫଳ କେତେ ଯେ ମେଲାଇ ଦେଲେ ମୋର ଆଖି ପାଉ ନାହିଁ । ପୁରୀ ରଥଯାତ ବଦଳରେ ଜାତି ରଥଯାତ ଆସିଲା । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଦଳରେ ଆମ ଜାତିର ନନ୍ଦିଘୋଷ ରଥ ଚାଲିଲା । କେଡ଼େ ମଜା ! ଆମେ ଏଇ କେତେଦିନ ଏ ମେଳାରେ ସତେ ଯୋଗ ଦେବା ।

Image

 

ବାପୁଜୀଙ୍କ ରାମରାଜ୍ୟ

 

ରାତିପାଇ ଭୋର ହେଲା । ଗାଁ ମୁଣ୍ତ ବରଗଛ ମୂଳରୁ ଭେରୀ, ତୂରୀ, କାହାଳୀ ନାଦ ଶୁଭିଲା । ପିଲାଠାରୁ ବୁଢ଼ାଯାଏ ସେଇ ଶବ୍ଦ ଶୁଣି ଆଖି ମଳି ଚାହିଁଲେ । ଧାଡ଼ି ବାନ୍ଧି ପିଲାମାନେ ଚାଲିଥାଆନ୍ତି । ବରଗଛଠାରୁ ପଲଟଣ ପଡ଼ିଆ ବେଶୀଦୂର ନୁହେଁ । ନାନାରଙ୍କର ତମ୍ୱୁ ପଡ଼ିଚି । କେତେ ବଡ ଜାଗା ଏକବାରେ ଭରପୂର । ଗୋଟିଏ ବଡ଼ ସଭାମଞ୍ଚ ତିଆରି ହୋଇଚି । କେଡ଼େ ସୁନ୍ଦର ବଡ଼ ବଡ଼ ଚାନ୍ଦୁଆ ଟଣା ଯାଇଚି ।

 

ନାନାରଙ୍କର କାଗଜ ଫୁଲରେ ସଜାସଜି ଚାଲିଚି । ଗାଁର ଲୋକମାନେ ମିଶିଗଲେ । କେତେଆଡ଼ୁ ଶାଗୁଆ ଡାଳପତ୍ର, ସୁନ୍ଦର ଫୁଲପେନ୍ଥା ଆଣି ସବୁ ସଜାଇ ଦେଲେ । ଗାଁ ଲୋକମାନଙ୍କର ଆଗ୍ରହ ଉତ୍ସାହ ଦେଖି ବାହାରୁ ଆସିଥିବା ଲୋକମାନେ ଭାରି ଖୁସି ।

 

ପ୍ରଥମେ ଆମ ଜାତୀୟ ପତାକା ଉତ୍ତୋଳନ କରାଗଲା । ସଭା ଆରମ୍ଭ ହେଲା । ଏଡ଼େ ବଡ଼ ସଭାମଣ୍ତପ ଏକବାରେ ଭରପୂର ହୋଇ ଉଠିଛି । ଏଡ଼େ ବଡ଼ ସଭାମଣ୍ତପ ଏକବାରେ ଭରପୁର ହୋଇ ଉଠିଛି । ଏ ମୁଣ୍ତରୁ ଥାଳି ଛାଡ଼ିଦେଲେ ସେ ମୁଣ୍ତକୁ ଚାଲିଯିବ । ଶୋରିଷ ମୁଠାଏ ଛାଡ଼ିଦେଲେ, ତଳେ ଗୋଟିଏ ପଡ଼ିବ ନାହିଁ । ଯେଉଁ ପଲଟଣ ପଡ଼ିଆଟି ଶୁଖିଲା ଟାଙ୍କରା ହୋଇ ପଡ଼ିରହିଥିଲା, ଆଜି ତାହା ଇନ୍ଦ୍ରଭୁବନ ପାଲଟିଛି ।

 

ରାଜ୍ୟପାଳ ଆସିଲେ । ଆଉ କେତେ ବଡ଼ ବଡ଼ ଅତିଥି ଆସିଲେ । ଡ୍ରମ୍‌ବାଜା, ଭେରୀ, ତୂରୀ, କାହାଳୀର ନାଦ ସହିତ ଗାଁ ଲୋକଙ୍କର ଝାଞ୍ଜ, ମୃଦଙ୍ଗ, ଶଙ୍ଖ ଶବ୍ଦ ଆକାଶ ପବନ କମ୍ପାଇଦେଲା । ସଭାକାର୍ଯ୍ୟ ଆରମ୍ଭ ହେଲା । ପ୍ରଥମେ ଏକ ସ୍ୱାଗତ ସଙ୍ଗୀତ ବୋଲା ହେଲା । କେଡ଼େ ସୁନ୍ଦର ଲାଗିଲା । ଲୋକ ଟାଙ୍କୁରି ଉଠିଲା । ଦେହ ଆଉ ମନ ଯେମିତି ସ୍ୱର୍ଗୀୟ ଶାନ୍ତିରେ ପୂରିଗଲା-। ଗୀତଟିର ସାରକଥା ହେଲା ଆମ ଗୋଟିଏ ମାଆର ପିଲା । ସମସ୍ତେ ଆମ ଭାଇ ଭଉଣୀ । ଯୁଗ ଧରି ଆମେ ପୃଥିବୀକୁ ଶାନ୍ତିମୁକ୍ତିର ବାଟ ଦେଖାଇ ଆସିବୁ । ବୁଦ୍ଧ, ଅଶୋକ, ଗାନ୍ଧୀଜୀଙ୍କର ଶାନ୍ତି ଅହିଂସା ବାଣୀ ଆମକୁ ସାହା ହେବ, ଆଜିର ହିଂସାଦ୍ୱେଷପୂର୍ଣ୍ଣ ଦୁନିଆକୁ ରାହା ଦେବ । ଅନ୍ଧାର ଭିତରେ ଆଲୁଅର ଦିହୁଡ଼ି ଜାତିଦେବ ।

 

ଆମ ରାଜ୍ୟର ଶିକ୍ଷାମନ୍ତ୍ରୀ ଏଇ ଯୁବମେଳାକୁ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଏହାର ଉଦ୍ଦେଶ୍ୟ ସମସ୍ତଙ୍କୁ ବୁଝାଇ ଦେଇଥିଲେ । ସେ କହିଲେ–ଯୁଗ ଯୁଗ ଧରି ଆମରି ଏଇ ପବିତ୍ର ଦେଶ ନାନା ଧର୍ମ, ନାନା ସଭ୍ୟତା ଆଉ ନାନା ସଂସ୍କୃତିର ମିଳନ ଭୂମି ହୋଇ ଆସିଚି । ସହନଶୀଳତା, ସହୃଦୟତା ଓ ବନ୍ଧୁତା ଆମର ଏଇ ମହା ଜାତିର ମୂଳମନ୍ତ୍ର । ଏହା ଫଳରେ ବିଦେଶରୁ ଯେତେ ପ୍ରକାର ଲୋକ ଆସିଛନ୍ତି ସେମାନଙ୍କ ଭିତରୁ ଅନେକ ଏହାର ସ୍ଥାୟୀ ବାସିନ୍ଦା ହୋଇଛନ୍ତି । ସେମାନେ ଆମ ସଭ୍ୟତାକୁ ଗ୍ରହଣ କରିନେଇଛନ୍ତି । ଆସ ସଭ୍ୟତାକୁ ସେମାନେ ମଧ୍ୟ ବହୁ କଥା ଦେଇଯାଇଛନ୍ତି । ଯେଉଁ ମାନେ ଆମ ଦେଶ ଆକ୍ରମଣ କରିବାକୁ ଆସିଛନ୍ତି, ସେମାନଙ୍କୁ ଆମ ଦେଶ ଦେହ ବଳରେ ନହେଲେ ବି ମନ ବଳରେ ଜିଣି ଯାଇଚି । ଫଳରେ ବହୁ ଭାଷା, ବହୁ ଧର୍ମ, ବହୁ ବାଦ ବିଦାଦ ମଧ୍ୟରେ ଆମ ମାତୃଭୂମି ଭାରତର ଇତିହାସ ଗଢ଼ା ହୋଇଚି । ସେହି ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ବିଶେଷତ୍ୱ ।

 

ଭାରତ ଭିତରେ ପୁଣି ପୁରୀଧାମ ହେଉଚି ମର୍ତ୍ତ୍ୟବୈକୁଣ୍ଠ । ସାମ୍ୟ ମୈତ୍ରୀର ସ୍ୱର୍ଗଭୂଇଁ । ସବୁ ଧର୍ମକୁ ନେଇ ଜଗନ୍ନାଥ ଧର୍ମ ଆଜି ପରିପୁଷ୍ଟ । ସବୁ ଧର୍ମଭାବନାକୁ ତାହା ନିଜର ଉଦାରତା ଓ ସହନଶୀଳତା ବଳରେ ଅତି ଆପଣାର କରି ପାରିଚି । ଜଗନ୍ନାଥଙ୍କୁ ଶବର ବିଶ୍ୱାବସୁଙ୍କ ଠାରୁ ଆରମ୍ଭ କରି ଆର୍ଯ୍ୟ ଇନ୍ଦ୍ରଦ୍ୟୁମନ୍ନ, ବୌଦ୍ଧ ଇନ୍ଦ୍ରଭୂତି, ଶୈବ, ଶଙ୍କରାଚାର୍ଯ୍ୟ, ବୈଷ୍ଣବ ରାମାନୁଜ, ବୈତନ୍ୟ ଆଉ ଶିଖ୍‌ଧର୍ମଗୁରୁ ନାନକ ପର୍ଯ୍ୟନ୍ତ ସବୁ ଭକ୍ତ ତାଙ୍କର ଭଗବାନ ବୋଲି ମାନି ନେଇଛନ୍ତି-। ଜଗତର ନାଥ ଜଗନ୍ନାଥ ଆଜି ଭାରତର ଅଧିକାଂଶ ଲୋକଙ୍କର ଆଦରର ଦେବତା । ଏଠାରେ କୌଣସି ଧର୍ମ ସହିତ ଶତ୍ରୁତା ନାହିଁ । ସବୁପ୍ରକାର ସଭ୍ୟତାର ସାରକଥା ଏଠାରେ ରହିଚି-। ତେଣୁ ପୁରୀ ହେଉଚି ସାରା ଭାରତର ମିଳନପୀଠ–ଜାତୀୟତାର ପ୍ରଧାନ କେନ୍ଦ୍ର ।

 

ଏଇପରି ଏକ ସ୍ଥାନ ନିକଟରେ ଏଇ ଯୁବମେଳାଟି ଅନୁଷ୍ଠିତ ହେଉଥିବାରୁ ଆମେ ଭାରି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଏହାର ସଫଳତା ନେଇ ଆଶାପ୍ରକାଶ କରୁଚୁ ।

 

ତାପରେ ରାଜ୍ୟପାଳ ମେଳାକୁ ଉଦ୍‌ଘାଟନ କରି ଭାଷଣ ଦେଲେ । ଭାରତ ସବୁ ବାଧା ବ୍ୟବଧାନ ମଧ୍ୟରେ ଏକ ଦେଶ । ଗୋଟିଏ ଏହାର ସଂସ୍କୃତି, ଏକ ଏହାର ଅତୀତ ଆଉ ଏକ ଏହାର ଭବିଷ୍ୟତ । ସବୁ ରାଜ୍ୟ, ଜାତି ଭାଷା, ଧର୍ମର ବାଧାବନ୍ଧନ ତୁଟାଇ ସମସ୍ତେ ଆମେ ଭାରତୀୟ–ଗୋଟିଏ ମାତୃଭୂମିର ଆମେ କୋଟିଏ କୋଟି ସନ୍ତାନ । ବହୁ ଯୁଗ ତଳୁ ସାରା ଭାରତକୁ ବଡ଼ ବଡ଼ ସାଧୁସନ୍ଥ ଏକଇ ରୂପରେ ଚିନ୍ତା କରି ଆସିଛନ୍ତି । ଏହାର ନଦୀ, ସମୁଦ୍ର, ପାହାଡ଼, ପର୍ବତ ପ୍ରଭୃତିର ବର୍ଣ୍ଣନା ସେମାନଙ୍କ ଲେଖାରେ ପ୍ରକାଶ ପାଇଚି । ଏମିତିକି ମନୁଷ୍ୟର ସବୁଠୁଁ ପୁରୁଣା ରଚନା ଅଥର୍ବ ବେଦରେ ଭାରତର ସବୁରି ସନ୍ତାନଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପ୍ରାର୍ଥନା କରାଯାଇଛି । ସମସ୍ତେ କିପରି ଶାନ୍ତିସୁଖରେ ରହିବେ, ସେଥିପାଇଁ ବୈଦିକ ଯୁଗର ଋଷିମାନେ କାମନା କରିଛନ୍ତି ।

 

ହଜାର ହଜାର ବର୍ଷ ତଳେ ଲେଖାଯାଇଥିବା ବିଷ୍ଣୁ ପୁରାଣରେ କୁହାଯାଇଛି ଯେ, ଦେବତାମାନେ ମଧ୍ୟ ଭାରତର ପବିତ୍ର ଭୂଇଁରେ ଜନ୍ମ ନେବାକୁ ସୌଭାଗ୍ୟ ମନେ କରନ୍ତି । ସେମିତି ମହାଭାରତ ଯୁଦ୍ଧରେ ଦେଶର ସବୁ ଅଞ୍ଚଳରୁ ରାଜାମାନେ ସୈନ୍ୟ ସାମନ୍ତ ଆଣି କିପରି ଯୋଗ ଦେଇଥିଲେ, ବର୍ଣ୍ଣନା କରାଯାଇଛି । କାଳିଦାସ ତାଙ୍କର ରଘୁବଂଶ କାବ୍ୟରେ ଲେଖିଛନ୍ତି ଇନ୍ଦୁମତୀଙ୍କ ବିବାହ ପାଇଁ ଭାରତର ସବୁ ରାଜା ସ୍ୱୟମ୍ୱରରେ ଯୁଟି ଥିଲେ । ସେ ସୁଦୂର ଦାକ୍ଷିଣାତ୍ୟ ରାଜ୍ୟ କେରଳ କଥା ମଧ୍ୟ ଭୁଲି ନାହାନ୍ତି ।

 

ପୁରୁକାଳରୁ ଧର୍ମ ଭାରତୀୟ ଲୋକମାନଙ୍କୁ ଏକାଠି ବାନ୍ଧି ରଖିଥିଲା । ଉତ୍ତରରେ ହିମାଚଳଠାରୁ ଦକ୍ଷିଣରେ ସୀମାଚଳ ଯାଏ ଆଉ ପୂର୍ବରେ ପୁରୀଠାରୁ ପଶ୍ଚିମରେ ପୋରବନ୍ଦର ପର୍ଯ୍ୟନ୍ତ ସବୁଠାରେ ଏକଇ ଧର୍ମସବୁରିଙ୍କୁ ଆଚ୍ଛନ୍ନ କରିଥିଲା । ଧର୍ମଶାସ୍ତ୍ର ବର୍ଣ୍ଣିତ ପବିତ୍ର ନଦୀ, ପର୍ବତ ଓ ତୀର୍ଥସ୍ଥାନମାନ ଭାରତର ଚାରିଆଡ଼େ ଖେଳାଇ ହୋଇ ରହିଥିଲା । ଏଥିରେ କୌଣସି ପକ୍ଷପାତିତା ନଥିଲା । ଜଣେ ତୀର୍ଥଯାତ୍ରୀ ଭାରତର ସବୁ ତୀର୍ଥ ଦର୍ଶନ ନକଲେ ତାର ପୁଣ୍ୟଯାତ୍ରା ସମ୍ପୂର୍ଣ୍ଣ ହେଉ ନଥିଲା । ଫଳରେ ସେ ଦେଶର ସବୁ ଅଞ୍ଚଳ ବୁଲି ସବୁ ସ୍ଥାନର ଲୋକ, ସେମାନଙ୍କ ଚଳଣି, ଭାଷା ଆଦି ବିଷୟରେ ଅନୁଭୂତି ଲାଭ କରୁଥିଲେ । ତାର୍ଥଯାତ୍ରାରୁ ଫେରି ସେ ହେଉଥିଲେ ସେ ଅଞ୍ଚଳର ମୁଖିଆ । ସେ ସବୁ ବିଚାର ଆଲୋଚନାରେ ଭାରତର ଏକତା କଥା ଫୁଟାଉଥିଲେ ।

 

ଏକତ୍ୱ ଭାରତୀୟ ଜୀବନଧାରାର ମୂଳନୀତି । ଏଦେଶର ଧର୍ମ, ଦର୍ଶନ, ସାହିତ୍ୟ ଆଉ ଜୀବନଧାରାରେ ଏଇ ଏକତ୍ୱ ଭାବ ଫୁଟି ଉଠିଛି । ପରସ୍ପର ସ୍ନେହ, ସଦିଚ୍ଛା ସହନଶୀଳତା ଓ ସହୃଦୟତା ଭାରତୀୟମାନଙ୍କୁ ଯୁଗ ଯୁଗ ଧରି ଗୋଟିଏ ସୂତ୍ରରେ ବାନ୍ଧି ରଖିଚି । ଗ୍ରୀକ୍‌, ହୁନ୍‌, ଶକ୍‌, କୁଶାଣ, ପଠାଣ, ମୋଗଲ, ପର୍ତ୍ତୁଗୀଜ୍‌, ଡଚ୍‌,ଇଂରେଜ, ଫରାସୀ ପ୍ରଭୃତି ପୃଥିବୀର ବିଭିନ୍ନ ଜାତି ଭାରତକୁ ନାନା ଉଦ୍ଦେଶ୍ୟ ରଖି ଆସିଥିଲେ । ସେମାନେ ଯେତିତି ଆମଠାରୁ ବହୁ କଥା ଶିଖିଲେ ଆମେ ସେମିତି ସେମାନଙ୍କ ଠାରୁ ଅନେକ କଥା ଜାଣିଲୁ । ଏମିତିକି ସେମାନଙ୍କ ଭିତରୁ କେତେକ ଆମ ଦେଶରେ ରହିଯାଇ ଭାରତୀୟ ହେଲେ । ଆମେ ସମସ୍ତେ ନିଜ ନିଜର ଦୁଃଖ ସୁଖରେ ଭାଗୀହେଲୁ । ଦୃଢ଼ତା ଆଉ ଏକତାର ସହିତ ଆମେ ବାହାର ଶତ୍ରୁ ଆଉ ଭିତରେ ବିପଦର ମୁକାବିଲା କଲୁ ।

 

ସବାଶେଷରେ ଶକ୍ତିଶାଳୀ ଇଂରେଜ ଶାସନ ଏ ଦେଶରୁ ଘୁଞ୍ଚିଗଲା । କିପରି ଗଲା ? ଆପଣମାନେ ଜାଣନ୍ତି । ଜାତିପିତା ବାପୁଜୀଙ୍କର ସତ୍ୟ ଓ ଅହିଂସା ନୀତିରେ ଲଢ଼େଇ କରି ଆମେ ଆମ ଦେଶରୁ ସେମାନଙ୍କୁ ତଡ଼ିଦେଲୁ । ଏଇ ଲଢ଼େଇରେକି ହିନ୍ଦୁ, କି ମୁସଲମାନ, କି ପାର୍ସି, କି ଖ୍ରୀଷ୍ଟିୟାନ୍‌, କି ଶିଖ୍‌, କି ପଠାଣ ସମସ୍ତେ ଆମେ ଯୋଗ ଦେଇଥିଲୁ । କେତେ ତତଲା ଲୁହଲହୁ, ହା ହୁତାଶ, ଜେଲ ଜରିମାନା, ଦୁଃଖ କଷ୍ଟର କଠୋର ତପସ୍ୟା ଓ ସାଧନା ପରେ ସ୍ୱାଧୀନତାର ଗଙ୍ଗାଧାର ବହି ଆସିଲା । କିନ୍ତୁ ସେଇ ପବିତ୍ର ଧାର ହେଲା ଦୁଇଧାର ଭାରତ ଆଉ ପାକିସ୍ଥାନ । ଏକା ନାହିଁ ହେଲା ଦୁଇଖଣ୍ତ; ହିନ୍ଦୁ ଆଉ ମୁସଲମାନ । ଯେଉଁ ହିନ୍ଦୁ ମୁସଲମାନ ଭାଇ ଭାଇ ପରି ଶହ ଶହ ବର୍ଷ ଧରି ବଳି ଆସୁଥିଲେ, ସେମାନେ କେତେକଙ୍କ ମନ୍ଦ ବୁଦ୍ଧିରେ ନିଜ ନିଜର ଭଗାରି ହେଲେ । ଅମୃତ ଭାଣ୍ତରେ ବିଷ ଭରିଲା ।

 

ତା’ପରେ ଆମରି ଦେଶ ଖଣ୍ତକୁ ଆମେ ଉନ୍ନତ କରିବାକୁ ବାହାରିଲୁ । କେତେ ଯୋଜନା ହେଲା । କେତେ କଳ କାରଖାନା ବସିଲା । କେତେ ସ୍କୁଲ, କଲେଜ ଖୋଲିଲା । ଆମେ ଆଗେଇ ଚାଲିଲୁ ।

 

ହେଲେ, ଭାଷା ଆଉ ସଂପ୍ରଦାୟ ଯୋଗୁଁ କେତେକ ଗଣ୍ତଗୋଳ ହେଲା । ହାଣ, ମାରକାଟ, ପୋଡ଼ାଜଳା ଚାଲିଲା । ଶାନ୍ତି ସୁଖର ସରଗ ଭିତରେ ନରକର ଭେଳିକି ଲାଗିଲା । ସେଥିପାଇଁ ଦେଶ କିପରି ଉନ୍ନତି କରିବ ଆଉ ଏସବୁ ଶତ୍ରୁ ଲୋପ ପାଇବେ, ଏଇ ଚିନ୍ତା ଜାତିର ନେତା, ଶିକ୍ଷକ, ଲେଖକ ପ୍ରଭୃତିଙ୍କୁ ଘାରିଲା । ସେମାନେ ଭାବିଲେ ଯୁବକମାନେ ହେଉଛନ୍ତି ଆମର ଭବିଷ୍ୟତ । ସେମାନେ ଯଦି ଭଲ ହୋଇପାରିବେ, ଅତୀତର କଳଙ୍କ ପୋଛିଦେବେ, ସବୁ ଭେଦଭାବ ଭୁଲିଯିବେ, ତେବେ ଏ ଦେଶ ଆମର ସବୁ ଦିଗରେ ଆଗେଇ ଯିବ । ସବୁ ଅଭାବ ଅସୁବିଧା ଦୂର ହୋଇଯିବ । ସୁନାର ଭାରତରେ ବାପୁଜୀଙ୍କ ରାମରାଜ୍ୟ ଗଢି ଉଠିବ ।

 

ଆଜିଠାରୁ ଯେଉଁ ଯୁବମେଳା ଆରମ୍ଭ ହେଉଛି, ତାର ଉଦ୍ଦେଶ୍ୟ ହେଲା ଏସବୁ ଦିଗରେ ଆମର ଯୁବକୁମାନଙ୍କୁ ତାଲିମ ଦେବା ଆଉ ଜାତୀୟ ଏକତାରେ ସମସ୍ତଙ୍କୁ ଅନୁପ୍ରାଣିତ କରିବା । ଏଇ ଉଦ୍ଦେଶ୍ୟ ସଫଳ ହେଉ ଆଉ ସବୁରି ସହଂଯୋଗ ଓ ସହୃଦୟତାରେ ଆମ ଦେଶ ଉନ୍ମତ ହେଉ, ଏହା ମୋର କାମନା ।

 

ଯୁବମେଳାର ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ଜାତୀୟ ସଙ୍ଗୀତ ବୋଲା ହେଲା । ବାଦ୍ୟର ତାଳ ସହିତ ସଙ୍ଗୀତର ଛନ୍ଦ ସମସ୍ତଙ୍କର ଆତ୍ମାକୁ ଆମୋଦିତ କଲା । ସମସ୍ତେ ନୀରବ, ନିଶ୍ଚଳ ଭାବରେ ଠିଆ ହୋଇ ଏଥିରେ ଯୋଗଦେଲେ ।

 

ଜାତୀୟ ସଙ୍ଗୀତର ଲହର ସାଥିରେ ଦରିଆର ଲହରୀମାଳା ସ୍ୱର ମିଶାଇ ଦେଲେ । ଦୂରରୁ ଭାସି ଆସୁଥିବା ଦରିଆର ଶବ୍ଦ ସତେ ଯେମିତି ସବୁରି କାନରେ କହି କହି ବହିଗଲା–ନିଜ ନିଜ ମନର ଭେଦଭାବର କଳଙ୍କ ଧୋଇଦିଅ । ଆପଣା ଆପଣା ଭିତରେ ଥିବା ରାଗରୋଷ ଆଉ ଅହଂକାରର ମେଘନାଦ ପାଚିରୀ ଭାଙ୍ଗିଦିଅ ।

Image

 

ଗୋଟିଏ ମାଆର କୋଟି କୋଟି ଆମେ

 

ଦିନ ଦି ପହର । କ୍ଳବ ଘରେ ଗାଁ ଲୋକଙ୍କର ଭିଡ଼ । ଜାତିର ଜରୁରୀ ସମସ୍ୟାରେ ଯେମିତି ଲୋକସଭାର ବିଶେଷ ଅଧିବେଶନ ବସେ, ସେମିତି ଗାଁରେ କି ସେ ଅଞ୍ଚଳରେ କୌଣସି ଜରୁରୀ ଘଟଣା ଘଟିଲେ କ୍ଳବ ଘରେ ଗ୍ରାମବାସୀଙ୍କର ଖରାବେଳିଆ ବୈଠକ ବସେ ।

 

ହୁରୁଷି ପଚାରିଲା–ଆଜି ସଭାଟି ଭାରି ଭଲ ଲାଗିଲା । ନୁହେଁ ଅଜା ? ପହିଲେ ଯୋଉ ଗୀତଟା ପିଲାଏ ବୋଲିଲେ, ମୋ ମନକୁ ଭାରି ପାଇଲା । ‘‘ସ୍ୱାଧୀନ ଦେଶର ସନ୍ତାନ ଆମେ, ଭାରତ ଆମର ଜନମ ଭୂଇଁ, ଗୋଟିଏ ମାଆର କୋଟି କୋଟି ଆମେ, ସକଳେ ସମାନ ଭଉଣୀ ଭାଇ । ’’ ଏଇ ପଦଟି ଭାରି ଭଲ ଲାଗିଲା ।

 

ଚଇତନ ଦାସ କହିଲେ–ହଇରେ ନାତି ! ଭାରତ ଆମର ଛୋଟିଆ ଦେଶଟିଏ ନୁହେଁ । ଖାଲି ଆକାରରେ ଏହା ବଡ଼ ନୁହେଁ, ମହିମାରେ ମଧ୍ୟ ଏହା ମହୀୟାନ୍‌ । ହଜାର ହଜାର ବର୍ଷ ତଳୁ ଏହା ଆମ ସବୁରିଙ୍କୁ ଗୋଟିଏ ପ୍ରେମଡୋରିରେ ବାନ୍ଧି ରଖିଚି । ଆମ ଶିକ୍ଷାମତ୍ରୀ ଆଉ ରାଜ୍ୟପାଳ ଯାହା ସବୁ କହିଲେ, ତାହା ଅକ୍ଷରେ ଅକ୍ଷରେ ସତ । ଭାରତ ଆମର ମାଆ ଆଉ ଆମେ ସମସ୍ତେ ଭାଇ ଭଉଣୀ ।

 

ନିତେଇ କହିଲା–ଶେଷରେ ଯୋଉ ଗୀତଟା ବୋଲା ହେଲା, ମୋତେ ସେଇ ଗୀତଟି ଭାରି ଭଲ ଲାଗିଲା ।

 

ଚଇତନ ଦାସ ବୁଢ଼ାହେଲେ କ’ଣ ହେଲା, ତାଙ୍କ ମନରେ ସ୍ୱାଧୀନତା ଆନ୍ଦୋଳନର ଆବେଗ ଉତ୍ତେଜନା ଏବେ ବି ଚେଇଁ ରହିଚି । ବେଶୀ ପାଠଶାଠ ପଢ଼ିନ ଥିଲେ ସୁଦ୍ଧା ସ୍ୱରାଜ ଆଣିବାରେ ସେ ମଧ୍ୟ ଗୁଣ୍ତୁଚି ମୂଷା ପରି କାମ କରିଥିଲେ । ଗାନ୍ଧି ବୁଢ଼ାର କଥାକୁ ବେଦର ଗାର ମନେକରି ଗାଁ ସଫେଇ, ରାତି ସ୍କୁଲରେ ପାଠ ପଢ଼ାଇବା, ଗାଁ କଳି ପଞ୍ଚାୟତରେ ତୁଟାଇବା, ଜାତିପ୍ରଥା ଉଠାଇବା ଆଦି କାମ କରି ସେ ଖାଲି ସେଇ ଗାଁଟିରେ କାଇଁକି, ସେ ଅଞ୍ଚଳ ଖଣ୍ତିକରେ ଭାରି ଜଣାଶୁଣା ।

 

ସେ ନିତେଇ କଥା ଶୁଣି କହିଲେ ଆରେ ଓଲୁ, ସେ ପରା ଆମ ଜାତୀୟ ସଙ୍ଗୀତ । ଏଥିରେ ଭାରତର ସବୁ ଅଞ୍ଚଳ, ତାର ଜନସାଧାରଣଙ୍କର ମଙ୍ଗଳ ଆଉ ଆଶୀର୍ବାଦର କାମନା କରାଯାଇଛି । ସେମାନଙ୍କର ଜୟଗାନ କରାଯାଇଛି । ଆମେ ଏଇ ଗୀତଟି ଗାଇଲେ ଲୋମ ଟାଙ୍କୁରି ଉଠେ । ଏହାକୁ ଗାଇ ନିଜ ଦେଶକୁ ସମ୍ମାନ ଦେଖାଉଁ । ଦେଶ ଭିତରେ ଏକତା ଆଣିବାରେ ଏହା ମନ୍ତ୍ରପରି କାର୍ଯ୍ୟ କରେ ।

 

ହୁରୁଷି ପଚାରିଲା ଆଚ୍ଛା ଅଜା, ଏମିତି ଆଉ କ’ଣ ଗୀତ ଅଛି ?

 

ଚଇତନ ଦାସ କହିଲେ–ହଁ ଏମିତି ତ କେତେ ଦେଶାତ୍ମବୋଧକ ସଙ୍ଗୀତ ଅଛି । ସ୍ୱାଧୀନତା ଆନ୍ଦୋଳନ ବେଳେ ଆମେ ବନ୍ଦେ ମାତରମ୍‌, ଝଣ୍ତା ଉଞ୍ଚା ରହେ ହମାରା ଆଦି ଗୀତମାନ ଗାଉଥିଲୁ । ଏବେ ମଧ୍ୟ ସମୟ ସମୟରେ ଏହା ବୋଲାଯାଏ । ହେଲେ ବିଶ୍ୱକବି ଏଇ କବିତାଟି ଆମର ଜାତୀୟ ସଙ୍ଗୀତ ଭାବରେ ନିଆ ହୋଇଛି । ଜାତୀୟ ଉତ୍ସବମାନଙ୍କରେ ଏହା ଗାନ କରାଯାଏ ।

 

ହୁରୁଷି କହିଲା–ଅଜା, ସବୁ ହେଲା ଯେ... କିନ୍ତୁ ଲୋକମାନେ କିମିତି ମନ ମିଳାଇ ଚଳିବେ, ଦେଶର ମଙ୍ଗଳ ପାଇଁ କାମ କରିବେ, ତାହା ହୋଇପାରୁନି । ଯେତେ ଜାତୀୟ ପତାକାକୁ ଫର ଫର କରି ଉଡ଼ାଇଲେ ଆଉ ଜାତୀୟ ସଙ୍ଗୀତ ଯେତେ ଭଲଭାବରେ ଗାଇଲେ ସୁଦ୍ଧା ଆମ ଭିତରେ ଆଗଭଳି ଆଉ ଏକତା ନାଇଁ କି ଭଲ ଭାବ ନାଇଁ ।

 

ଚଇତନ ଦାସ କହିଲେ ଆରେ ବାବା, ସମସ୍ତେ ତ ଯେ ଯାହା ହାତରେ ଚଉଦପା’ । ସ୍ୱାଧୀନ ହେଲେ ବୋଲି ତ ନିଜକୁ ଚାରିଦଉଡ଼ିକଟା ବୋଲି ଭାବି ନେଉଛନ୍ତି । ନିଜକୁ ବଡ଼ ବୋଲି ଭାବି ଅହଙ୍କାରରେ ଫାଟି ପଡ଼ୁଛନ୍ତି । ଆଉ ଏଥିରେ ଦେଶରେ ସୁଖଶାନ୍ତି ରହିବ କେଉଁଠି ?

 

ହୁରୁଷି କହିଲା–କଳିଯୁଗ ନାଁ ! ସେଥିପାଇଁ ଆଗେ ଆମ ଲୋକଙ୍କ ଭିତରେ ଯେମିତି ସ୍ନେହ ସହାନୁଭୂତି ଥିଲା, ସେସବୁ ଦୂର ହୋଇ ଖାଲି ବାଦଛେଦ, ହିଂସା ଦ୍ୱେଷ ପୂରିଗଲାଣି ।

 

ଚଇତନ ଦାସ କହିଲେ–ଖାଲି କଳିଯୁଗ କାହିଁକି ସବୁ କାଳରେ ସବୁ ସ୍ଥାନରେ ମଣିଷର ଏମିତି ପ୍ରକୃତି । ସବୁରି ସହିବାଗୁଣ ନଥାଏ । ଥରେ ତିନି ଦେବତାଙ୍କ ଭିତରେ କିଏ ବଡ଼ କେବଳ ଏଇ ସହିବା ଗୁଣ ଉପରେ ନିଷ୍ପତ୍ତି ହୋଇଥିଲା, କହୁଚି ଶୁଣ ।

 

ଏକଦା ଇନ୍ଦ୍ରଙ୍କ ଦରକାରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ମଧ୍ୟରେ କିଏ ବଡ଼, ଏଥି ଉପରେ ଭାରି ଭଳି ଗୋଳ ହେଲା । ଏହି ସମସ୍ୟାର ସମାଧାନ ପାଇଁ ମହର୍ଷି ଭୃଗୁଙ୍କୁ ଭାର ଦିଆଗଲା । ଦେବରାଜ ଇନ୍ଦ୍ର ତାଙ୍କୁ କହିଲେ–ଆପଣ ଯାଇ ତିନି ଦେବତାଙ୍କୁ ସାକ୍ଷାତ୍‌ କରନ୍ତୁ । କିଏ ବଡ଼ ପରୀକ୍ଷା କରି ଦେଖନ୍ତୁ । ଆପଣଙ୍କ ସିଦ୍ଧାନ୍ତକୁ ଆମେ ମାନିଦେବୁ ।

 

ଭୃଗୁ ପ୍ରଥମେ ବ୍ରହ୍ମଲୋକ ଗଲେ । ସେ ଦେଖିଲେ ବ୍ରହ୍ମା ଆଖି ବୁଜି ଯୋଗାସନରେ ବସିଛନ୍ତି । ଭୃଗୁ ସେଠାରେ ଚୂପ୍‌ହୋଇ ଠିଆହେଲେ ।

 

କିଛି ସମୟ ଗଲା । ବ୍ରହ୍ମା ଆଖି ଫିଟାଇଲେ । ଆଗରେ ଭୃଗୁ ଠିଆ ହୋଇଛନ୍ତି । ତାଙ୍କର ଏତେ ଗର୍ବ ଯେ, ଜଗତର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଗୋଡ଼ତଳେ ପଡ଼ି ପ୍ରଣାମ କଲେ ନାହିଁ ! ଏହି ଆଚରଣରେ ବ୍ରହ୍ମା ଖୁବ୍‌ ରାଗିଗଲେ ।

 

ସେ ବଡ଼ ପାଟିରେ କହିଲେ-ତୁ ଭଦ୍ରତା ଜାଣିନାହୁଁ । ମାନ୍ୟ ଲୋକଙ୍କୁ ଯେ ସମ୍ମାନ ଦେବା ଜାଣେ ନାହିଁ, ଏ ବ୍ରହ୍ମଲୋକରେ ତାର ସ୍ଥାନ ନାହିଁ । ଶ୍ରୀଘ୍ର ଏଠାରୁ ପଳା ।

 

ଏହା ଶୁଣି ଭୃଗୁ ନିଜର ଭୁଲ ସ୍ୱୀକାର କଲେ ଆଉ କ୍ଷମା ମାଗିଲେ । ବ୍ରହ୍ମାଙ୍କୁ ସନ୍ତୁଷ୍ଟକରି ଭୃଗୁ ସେଠାରୁ ଚାଲିଗଲେ ।

 

ତା’ପରେ ସେ ଶିବଙ୍କ ପାଖରେ ପହଞ୍ଚିଲେ । ଶିବ ସେତେବେଳେ କୈଳାସକନ୍ଦରରେ ବସି ପାର୍ବତୀଙ୍କ ସହିତ ଖୁସିଗପ କରୁଛନ୍ତି । ଭୃଗୁ ଦୁଇଥର ଡାକିଲେ । ଶିବନ ଶୁଣିବାରୁ ଭୃଗୁ ପାଟିକରି କହିଲେ ମୁଁ କେତେବେଳୁଁ ଆପଣଙ୍କୁ ଡାକୁଛି । ଆପଣ ଶୁଣୁ ନାହାନ୍ତି କାହିଁକି ?

 

ଏଥିରେ ଶିବଙ୍କ ମୁଣ୍ତ ବିଗିଡ଼ିଗଲା । ସେ ରାଗରେ ତ୍ରିଶୂଳ ଧରି ତାଙ୍କୁ ମାରି ଗୋଡ଼ାଇଲେ ।

 

ଭୃଗୁ ଶିବଙ୍କ କୋପ ଦେଖି ତଟସ୍ଥ ହୋଇଗଲେ । ସେ ତାଙ୍କ ଗୋଡ଼ତଳେ ପଡ଼ି ବହୁ ସ୍ତବ ସ୍ତୁତି କଲେ । ଶିବ ଶେଷରେ ଶାନ୍ତପଡ଼ିଲେ ।

 

ଭୃଗୁ ସେଠାରୁ ସିଧା ବିଷ୍ଣୁଙ୍କ ପାଖକୁ ଗଲେ । ବିଷ୍ଣୁ ସେତେବେଳେ ଅନନ୍ତନାଗ ଉପରେ ନିଘୋଡ଼ ନିଦରେ ଶୋଇଛନ୍ତି । ଲକ୍ଷ୍ମୀ ତାଙ୍କ ପାଦତଳେ ବସି ପାଦ ମଞ୍ଚାଳୁଛନ୍ତି । ମୁଣ୍ତ ପାଖରେ ସରସ୍ୱତୀ ବସି ବୀଣା ବଜାଉଛନ୍ତି ।

 

ତୃଗୁ ଯାଇ ଡାକିଲେ । ବିଷ୍ଣୁଙ୍କୁତ ନିଘୋଡ଼ ନିଦ ! ସେ ଡାକରେ କେଉଁଠି ତାହା ଭାଙ୍ଗୁଛି-? ଭୃଗୁ ବଡ଼ ପାଟିରେ ବହୁତ ଡାକି ଡାକି ଶେଷରେ ଭାରି ରାଗିଗଲେ । ବିଷ୍ଣୁଙ୍କ ଛାତିରେ ଏକ କଠିନ ଗୋଇଠା ବସାଇ ଦେଲେ ।

 

ଗୋଇଠା ମାଡ଼ରେ ବିଷ୍ଣୁଙ୍କର ନିଦ ଭାଙ୍ଗିଗଲା । ସେ ଧଡ଼ପଡ଼ ହୋଇ ଉଠି ପଡ଼ିଲେ । ଦେଖିଲେ ଆଗରେ ଭୃଗୁଋଷି ଠିଆ ।

 

ବିଷ୍ଣୁ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ଭୃଗୁଙ୍କ ପାଦ ଧରି ଦୁଇ ହାତରେ ଆଉଁସି ଦେଲେ । ସରସ୍ୱତୀଙ୍କ ହାତରେ ଚନ୍ଦନ ମଗାଇ ତାଙ୍କ ପାଦରେ ବୋଳିଦେଲେ ।

 

ଭୃଗୁ ଏହା ଦେଖି ଅବାକ୍‌ । ସେ କହିଲେ–ଏ କଅଣ ? ମୋ ପାଦ ସେବା କାଇଁକି କରୁଛନ୍ତି ? ମୁଁ ଆପଣଙ୍କ ଛାତିରେ ଗୋଇଠା ମାରିଲି । ଆପଣ ମୋତେ ସିନା ଦଣ୍ତଦିଅନ୍ତେ ?

 

ବିଷ୍ଣୁ ଅତି ନରମ ସ୍ୱରରେ କହିଲେ–ମହାଶୟ, ମୋ ଦୋଷ କ୍ଷମା କରନ୍ତୁ । ମୁଁ କର୍ତ୍ତବ୍ୟରେ ହେଳା କରି ଶୋଇ ପଡ଼ିଥିଲି । ମୋ ଛାଡ଼ିରେ ଆପଣ ଗୋଇଠା ମାରିଲେ । ଆପଣଙ୍କ କଅଁଳ ପାଦକୁ ଭାରି କଷ୍ଟ ହୋଇଥିବ ସେଥିପାଇଁ ମୁଁ ପାଦସେବା କରୁଚି !

 

ଭୃଗୁ ସେଠାରୁ ବିଦାୟ ନେଇ ଆସିଲେ । ଇନ୍ଦ୍ର ସଭାରେ ସେ ଘୋଷଣା କଲେ–କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ହିଁ ବଡ଼ । ଯେ ରାଗରୋଷରେ ନିଜକୁ ଭୁଲି ଯା’ନ୍ତି, ସେ କେବେ ବଡ଼ ହୋଇ ପାରନ୍ତି ନାହିଁ । ସେଥିପାଇଁ ବିଷ୍ଣୁ ସବୁଠାରୁ ବଡ଼ ।

 

ହୁରୁଷି କହିଲା–ଭଲ କଥାଟିଏ କହିଲ ଅଜା ! ଯେତେ ଅଶାନ୍ତି ଗଣ୍ତଗୋଳ ଏ ଦେଶରେ ଏବେ ଦେଖାଦେଉଚି, ସବୁରି ମୂଳରେ ଏଇ ସହିବା ଗୁଣର ଅଭାବ ।

 

ଚଇତନ ଦାସ କହିଲେ ଆରେ ଅନ୍ୟକୁ ଘୃଣା କରିବା ମହାପାପ, ସବୁ ଅନର୍ଥର ମୂଳ । ନିଜକୁ ବଡ଼ ମନେ କରି ସବୁରିଙ୍କୁ ହୀନ ମନେ କରିବା, ନିଜର ନୀତି, ଧର୍ମ, ଜାତି ଆଉ ରାଜ୍ୟକୁ ଭଲ ବା ଠିକ୍‌ ବୋଲି ଧରି ଅନ୍ୟମାନଙ୍କର ଏସବୁକୁ ଭେଲ ବା ଭୁଲ ବୋଲି ଭାବି ଘୃଣାକରିବା ଆମ ଦେଶ ପଷେ ଖୁବ୍‌ କ୍ଷତିକାରକ । ଏସବୁ ଦୋଷ ଆମେ ଯେତେ ଚଞ୍ଚଳ ଛାଡ଼ିବା, ନିଜ ପାଇଁ ଆଉ ଦେଶ ପାଇଁଏହା ସେତେ ମଙ୍ଗଳ । ଏଇ କଥା ପ୍ରଚାର କରି ମହାତ୍ମା ଗାନ୍ଧି ଗୁଳିମାଡ଼ ଖାଇଲେ । ଦେଶ ଦିଖଣ୍ତ ହେଲା । ତେବେ କ’ଣ ଆମର ଚେତା ପଶିଲା ?

 

ହୁରୁଷି କହିଲା–କଥାରେ ପରା ଅଛି, ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କେ ଲୁଟେ ?

 

ଏଇ ସମୟରେ ଯୁବମେଳାର ସଭା ଆରମ୍ଭ ହୋଇଗଲା ବୋଲି ସୁକୁଟା ଆସି ଖବର ଦେଲା । ସମସ୍ତେ ସେଠାକୁ ଚାଲିଲେ ।

 

ସଭା ଜୋରସୋରରେ ଚାଲିଛି । ଯୁବମେଳାର ନିର୍ଦ୍ଦେଶକ କହି ଚାଲିଥାନ୍ତି ଆଜି ସକାଳେ ତୁମ୍ଭେମାନେ ଶୋଭାଯାତ୍ରାରେ କେତେଖଣ୍ତ ଗାଁ ପରିତ୍ରମା କଲ ।

 

ତୁମ୍ଭେମାନେ ଯେତିକି ଆନନ୍ଦିତ ହୋଇଥିଲ, ଗାଁ ଗଣ୍ତାର ପିଲାଠାରୁ ବଡ଼ ଯାଏ ସମସ୍ତେ ତାଠାରୁ ଅଧିକ ଆନନ୍ଦ ଅନୁଭବ କରିଥିଲେ । ସେମାନଙ୍କର ହସ ହସ ମୁହଁ ଦେଖିଲେ ଭାରତମାତାର ଉଜ୍ଜ୍ୱଳ ଭବିଷ୍ୟତ ଆମ ଆଖି ଆଗରେ ନାଚିଯାଏ । ତୁମ୍ଭେମାନେ ଯେତେବେଳେ ‘‘ଭାରତ ମାତା କୀ ଜୟ’’ କହୁଥିଲ, ସେତେବେଳେ ସେମାନେ ମଧ୍ୟ ତୁମ ସାଥିରେ ଆପେ ଆପେ ଯୋଗ ଦେଉଥିଲେ । ସମସ୍ତଙ୍କ ଏକ ସ୍ୱରରେ ଆକାଶ ବତାଶ ଥରି ଯାଉଥିଲା । ଗାଁର ତୋଟାବଣ, ରାସ୍ତା ଘାଟ କମ୍ପି ଯାଉଥିଲା ।

 

କିନ୍ତୁ ଆପଣମାନଙ୍କୁ ପଚାରିଲେ କହି ପାରିବେ କି ଏ ଭାରତମାତା କିଏ ? ସେ କେଉଁଠି ଥା’ନ୍ତି ?

 

ସଭାରେ ସମସ୍ତଙ୍କ ମୁଣ୍ତ ତଳକୁ ନଇଁ ପଡ଼ିଲା । ସତରେ ସମସ୍ତେ ଭାରତମାତାର ଜୟଧ୍ୱନି କରନ୍ତି । କିନ୍ତୁ ସେ କିଏ, ଠିକ୍‌ କରି ଜାଣି ନାହାନ୍ତି । ବଡ଼ ଲାଜର କଥା !

 

ଯୋଉ ଦେଶରେ ଆମେ ସମସ୍ତେ ଜନ୍ମ ନେଲୁ, ଯାହାର ପାଣିପବନ, ଆଲୁଅ, ଫଳଫସଲରେ ବଢ଼ିଲୁ, ତାକୁ ଆମେ ମାଆ କହୁ । ସେ ଆମର ଅତି ପ୍ରିୟ, ଅତି ଆଦରର । ଏହାର ଭଲ ପାଇଁ ଆମେ ସବୁ କିଛି କରିବୁ । ଆମର ବଡ଼ ବଡ଼ ପଣ୍ତିତ କହିଯାଇଛନ୍ତି, ‘‘ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ । ’’ ଆମର ଜନ୍ମ ମାଆ ଆଉ ଜନ୍ମ ଭୂମି ସ୍ୱର୍ଗଠାରୁ ବଡ଼ ।

 

ଆପଣମାନେ ଭାବୁଥିବେ ଭାରତମାତା ହେଉଛି ଆମର ଏଇ ବିରାଟ ଦେଶ । ମାତ୍ର ଆମ ସମସ୍ତଙ୍କୁ ନେଇ ହିଁ ଭାରତମାତା । ଭାରତର ମାଟି, ପାଣି, ନଦୀ, ନାଳ, ପାହାଡ଼, ପର୍ବତ, ବଣ, ବିଲ ଆଦି ହେଉଛି ଏହାର ଦେହ । ଆମେ କୋଟି କୋଟି ଲୋକ ହେଉଛୁ ତାର ଆତ୍ମା ବା ପ୍ରାଣ । ଗୋଟିଏ ମାଆର ଆମେ କୋଟି କୋଟି ସନ୍ତାନ । କିନ୍ତୁ ସେ ଆମଙ୍କୁ ଏତେ ଭଲ ପାଏ ଯେ ସେ ଅଲଗା ରୂପରେ କେବେ ରହେ ନାହିଁ । ସେ ଆମ ସମସ୍ତଙ୍କ ଭିତରେ ନିଜକୁ ମିଶାଇ ଦିଏ । ଆମ ସବୁରି ସୁଖରେ ସେ ସୁଖୀ, ଆମ ସବୁରି ଦୁଃଖରେ ସେ ଦୁଃଖୀ । ପ୍ରକୃତ ମାଆ ଯିଏ, ତାର ପିଲାମାନଙ୍କ ସୁଖଶାନ୍ତି ପାଇଁ ସିଏ ନିଜର ସବୁ ଦୁଃଖକଷ୍ଟ ପଛରେ ପକାଇ ଦିଏ । ସବୁ ପିଲାଙ୍କ ସୁଖରେ ହିଁ ତାର ସୁଖ । ଘରେ ଜଣେ ପିଲାର ଅସୁଖ ହେଲେ ସେ ତାର ସୁଖଶାନ୍ତି ଭୁଲିଯାଏ । ଭାରତମାତା ଆମ ଭିତରୁ କେତେ ଜଣ ଅଭାବ ଅସୁବିଧା, ଦୁଃଖକଷ୍ଟରେ ରହିଥିବା ଯାଏ ସୁଖୀ ହୋଇ ପାରିବ ନାହିଁ । ତାର ଶୁଖିଲା ମୁହଁରେ ହସ ଫୁଟିବ ନାହିଁ ।

 

ଭାରତରତ୍ନ ଜବାହରଲାଲ ନେହରୁ ଥରେ କହି ଥିଲେ-ଆମେ ଜାତୀୟ ଉତ୍ସବମାନଙ୍କରେ ଯେତେବେଳେ ଏକ ସ୍ୱରରେ ‘‘ଭାରତମାତା କୀ ଜୟ’’ କହୁ, ସେତେବେଳେ ଆମେ ଆମ ସବୁରି ମିଳିତ ଶକ୍ତିର ଜୟଗାନ କରୁଁ । କାରଣ ଆମେ ପ୍ରତ୍ୟେକ ଭାରତମାତାର ଏକ ଏକ ଅଂଶ । ଆମେ ସମସ୍ତେ ହିଁ ଭାରତମାତା ।

 

ଆମର ଅତୀତ କିପରି ଏକ ଆଉ ଅବିଚ୍ଛିନ୍ନ ଆଉ ଆମରି ସଂସ୍କୃତି କିପରି ନାନା ବାଧାବିଘ୍ନ ଭିତରେ ସର୍ବଦା ନୂତନ ଓ ଜୀବନ୍ତ, ଏହା ଆମର ବହୁ ଧର୍ମଗୁରୁ, ସାହିତ୍ୟିକ, କବି, ଚିତ୍ରକର ପ୍ରଭୃତିଙ୍କ କଥା ଓ କାର୍ଯ୍ୟରେ ପ୍ରକାଶ ପାଇଛି । ଏହା ଆମର ଗର୍ବ ଆଉ ଗୌରବର କଥା-। ବିଖ୍ୟାତ ମୁସଲମାନ କବି ମହମ୍ମଦ ଇକ୍‌ବାଲ୍‌ ତାଙ୍କର ଏକ ସରସ କବିତା ‘‘ହିନ୍ଦୁସ୍ଥାନ, ଆମେ’’ ରେ ଗାଇଛନ୍ତି ହିନ୍ଦୁସ୍ଥାନ ଆମର ଫୁଲବନ, ଆମେ ତାର ବୁଲ୍‌, ବୁଲ୍‌ ପକ୍ଷୀ । ...ଯଦିଓ ସମୟର ଚକ ଯୁଗ ଯୁଗ ଧରି ଆମ ବିରୁଦ୍ଧରେ ଘୂରି ବୁଲିଚି, ଆମର ଅସ୍ତିତ୍ୱ ଆଦୌ ଲୋପ ପାଇନାହିଁ । ଏହି କଥାର ଯଥେଷ୍ଟ କାରଣ ରହିଚି । ଏହି ଉନ୍ମତ ଜାତୀୟ ସଂସ୍କୃତିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ପରସ୍ପର ସ୍ନେହ ସଦିଚ୍ଛା ସହିଷ୍ଣୁତା ଓ ସହଯୋଗ ଭିତରେ ଆମେ ଏହାକୁ ବଂଚାଇ ରଖି ପାରିବା ।

 

ପୃଥିବୀ ଆଗେଇ ଚାଲିଚି । କାଲି ଯାହା ଥିଲା ଆଜି ତାହା ନାହିଁ । କାଲି ଯେଉଁଠି ସେ ଥିଲା, ଆଜି ସେ ସେଇଠାରେ ନାହିଁ । ମନୁଷ୍ୟ ଆଜି ଶୂନ୍ୟ ମଣ୍ତଳରେ ଘୂରି ବୁଲିଲାଣି । ଚନ୍ଦ୍ରରେ ଚାଲି ଚମକ ସୃଷ୍ଟି କଲାଣି । ଆମେ ସେ ସବୁକୁ ଆଖି ବୁଜି ଦେଇ ପାରିବା ନାହିଁ । ଆମ ଭିତରୁ ଅଭାବ ଅସୁବିଧା, ଦୁଃଖକଷ୍ଟର କଳା ଅନ୍ଧାର ଘୁଞ୍ଚାଇ ସୁଖଶାନ୍ତିର ସୂର୍ଯ୍ୟ କିରଣ ଚଉଦିଗରେ ବିଞ୍ଚି ଦେବା । ଆମେ ସମସ୍ତେ ହସିବା ଆଉ ଜଗତକୁ ହସାଇ ଦେବା ।

Image

 

କିଏ ବଡ଼ ?

 

ସଞ୍ଜ ହେଲା । କ୍ଳବ ଘରେ ଗାଁ ଲୋକଙ୍କର ଭିଡ଼ ହୋଇ ଗଲାଣି । ଚଇତନ ଦାସ ଯୁବମେଳାର ସାଧାରଣ ସଭା ମାନଙ୍କରେ ଯୋଗ ଦେଇ ସବୁ ଶୁଣିବା ଆଉ କ୍ଳବ ଘରେ ଗାଁ ଲୋକଙ୍କ ଭିତରେ ସେସବୁର ଆଲୋଚନା କରିବାରେ ଭାରି ଆନନ୍ଦ ଅନୁଭବ କରନ୍ତି ।

 

ଏଇ କେତେ ଦିନ ହେଲା ଏହା ତାଙ୍କର ଗୋଟିଏ ନିଶାରେ ପରିଣତ ହେଲାଣି । ହୁରୁଷି ବି ଅଜାଙ୍କ ସାଥିରେ କାୟା ସହିତ ଛାୟାପରି ସବୁଠି ଘୂରି ବୁଲୁଚି । ଗାୟକ ବାୟକ ଏ ଦୁଇ ଜଣକୁ ଛାଡ଼ିଦେଲେ ପାଳିଆ ପଂଝାଏ ତ ଅଛନ୍ତି । ସେମାନେ ମଧ୍ୟ ବେଳାରେ ଜୁଟିଯା’ନ୍ତି । ଆଉ ପାଲା ଶୁଣିବାକୁ କ’ଣ ଲୋକଙ୍କର ଅଭାବ ଅଛି ?

 

ଚଇତନ ଦାସ ପହିଲେ ପଚାରି ଦେଲେ କ’ଣ ନାତି, ଆଜି ଉପରବେଳା ଯେଉଁ ଭାଷଣଟା ଶୁଣିଲ କ’ଣ ମନକୁ ପାଇଲାଂ

 

ହୁରୁଷି–ହଁ ଅଜା, ସୁବ ବୁଝିଲି ଆଉ ଭାରି ଭଲ ଲାଗିଲା ହେଲେ ଗୋଟାଏ କା ରି ପାରିଲିନି !

 

ସୁକୁଟା କହିଲା କଥାଟା କ’ଣ ଫେଡ଼ି କହି ଦେବୁ । କେତେ ଉପକ୍ରମ କରୁଚୁ ? ଅଜା ତ ସବୁ ବୁଝାଇ ଦେବେ ।

 

ହୁରୁଷି ଟିକିଏ ମୁରୁକି ହସି କହିଲା–କ’ଣ କି ...... ସେ ଯେଉଁ କହିଲେ ଆମେ ସବୁ ଭାରତୀୟ ହେଉଛୁ । ଆମ ଦେଶର ଆତ୍ମା ଆଉ ପାହାଡ଼, ପର୍ବତ, ନଦୀ, ନାଳ, ବଣ, ଜଙ୍ଗଲ, ବଲ, ବାଡ଼ି ଏସବୁ ତାର ଦେହ । ଏହା କ’ଣ ? କିମିତି ?

 

ଚଇତନ ଦାସ କହିଲେ ମୁଁ ବୁଝାଇ ଦଉଚି ଶୁଣ । ଆଖି, କାନ, କଥା, ମନ ଓ ଆତ୍ମା ଭିତରେ କିଏ ବଡ଼ କହି ପାରିବ ? ଏମାନେ କିମିତି ଥରେ କଳି କରି ନିଜକୁ ଅନ୍ୟଠୁଁ ବଡ଼ ବୋଲି ଦେଖାଇ ହେଲେ ହେଲେ ଆଉ ଶେଷରେ ସେମାନଙ୍କ କଳି କିପରି ତୁଟିଲା, ଆମର ସବୁଠୁଁ ପୁରୁଷା ଧର୍ମଶାସ୍ତ୍ର ଉପନିଷଦରେ ଏବିଷୟରେ ଭଲ କଥାଟିଏ ଅଛି କହୁଚି ଶୁଣ ।

 

ଥରେ ମଣିଷର ଆଖି, କାନ କଥା, ମନ ଓ ଆତ୍ମା ଭିତରେ ଭାରି ଝଗଡ଼ା ଲାଗିଲା । ପ୍ରତ୍ୟେକ କହିଲେ ମୁଁ ବଡ଼ । ତୁମ୍ଭେମାନେ ସମସ୍ତେ କିଛି ନୁହେଁ । ହେଲେ ଅନ୍ୟମାନେ ଏକଥା ମାନିନେବାକୁ ନାରାଜ ।

 

କଥାର ଗର୍ବ ତ ସବୁଠୁଁ ବେଶୀ । ସେ ବଡ଼ ପାଟିରେ ନିଜର ଦାବୀ ଜାହିର ଅଛି ବୋଲି କେହି ଜାଣନ୍ତେ ନାହିଁ । ଆଖି, କାନ, ମନ ଓ ଆତ୍ମା ଯାହା କରନ୍ତୁ ପଛକେ, ସେମାନଙ୍କର ଦାୟିତ୍ୱ ମୋ ଠାରୁ କମ୍‌ । ସେମାନଙ୍କ କଥ ଆଉ କର୍ଯ୍ୟକୁ ମୁଁ ବାହାରେ ଜଣାଏ । ମୋ ଛଡ଼ା ସେମାନଙ୍କ ଗୁରୁତ୍ୱ କେହି ବୁଝିନ୍ତେ ନାହିଁ ।

 

ଆଖି ଲାଲ ପଡ଼ିଯାଇ କହି ଉଠିଲା–ମୁଁ ବ୍ରହ୍ମାଙ୍କ ପରି । ଆଖି ନଥିଲେ ମଣିଷ ତାର କାର୍ଯ୍ୟ ସୁରୁଖୁରୁରେ କରି ପାରି ନହିଁ । ଦୁନିଆର ସବୁ ଶୋଭାସମ୍ପଦ ମୋ ଛଡ଼ା ମଣିଷ କିପରି ଅନୁଭବ କରିବ ? ମୁଁ ନଥିଲେ ମଣିଷ ଚଳିବାରେ କି ଅସୁବିଧା ହୁଅନ୍ତା ? ମୋ ବିନା ଜଗତର ଉନ୍ମତି ଅସମ୍ଭବ ।

 

କାନ ତାପରେ କହି ଉଠିଲା–ମୁଁ ଥିବାରୁ କଥାର ଆବଶ୍ୟକତା ରହିଛି । ଆଖି ସାହାଯ୍ୟରେ ସିନା ମଣିଷ ଦେଖେ, ମାତ୍ର ମୋ ଯୋଗୁଁ ଶୁଣିପାରେ । ମଣିଷ ନଶୁଣିଲେ ବଡ଼ ହଇରାଣ ହୁଏ ମୋର ଗୁରୁତ୍ୱ ଯୋଗୁଁ ବେଦର ଅନ୍ୟ ନାମ ଶ୍ରୁତି

 

ମନ ଖୁବ୍‌ ଜୋରରେ ଯୁକ୍ତି ଆରମ୍ଭ କରିଦେଲା । ସେ କହିଲା–ମୁଁ ନଥିଲେ ଆଖି, କାନ କି କଥା କେହି କିଛି କରି ପାରିବେ ନାହିଁ । ମୁଁ ତୁମ୍ଭମାନଙ୍କୁ ଚଳାଏ, କାମରେ ଲଗାଏ । ତେଣୁ ମୁଁ ତୁମ୍ଭମାନଙ୍କର ମୁନିବ । ମୁଁ କିମିତି ବଡ଼ ନହୋଇ ତୁମେ ହେବ ?

 

ଏମିତି କ୍ରମେ ସେମାନଙ୍କ ଭିତରେ ଝଗଡ଼ା ବଢ଼ିଲା । କେହି ନିଜ ମତରୁ ତିଳେ ହେଲେ ଟଳିବାକୁ ପ୍ରସ୍ତୁତ ହେଲେ ନାହିଁ । କୌଣସି ନିଷ୍ପତ୍ତି ଅସମ୍ଭବ ହେଲା ।

 

ଶେଷରେ ସେମାନେ ସମାଧାନ ପାଇଁ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ । ତାଙ୍କ ଉପରେ ସମସ୍ତଙ୍କର ଖୁବ୍‌ ବିଶ୍ୱାସ । ତାଙ୍କ ନିକଟରେ ସମସ୍ତେ ସମାନ । ବ୍ରହ୍ମା ସମସ୍ତଙ୍କ ଦାବୀ ଶୁଣିଗଲେ । ସେ ଦେଖିଲେ ଯାହାକୁ ବଡ଼ ନ କହିବେ, ତାର ମୁହଁ ଏଡ଼େ ହେବ । ନାନା ବିଭ୍ରାଟ ସୃଷ୍ଟି କରିବ । ତେଣୁ ସେମାନଙ୍କ ସାହାଯ୍ୟରେ ଏଇ କଥାଟିର ସମାଧାନ କରିଦେବା ଠିକ୍‌ ହେବ ।

 

ଏହା ଭାବି ସେ ଗମ୍ଭୀର ସ୍ୱରରେ କହିଲେ ତୁମେମାନେ ପ୍ରତ୍ୟେକେ ଏକୁ ଆରେକ ବଳିଆର । ମୁଁ ଗୋଟିଏ କିଛି ନିଷ୍ପତ୍ତି କରିଦେବା ଠିକ୍‌ ହେବ ନାହିଁ । ତୁମେମାନେ ଗୋଟିଏ କଥା କର । ଆପେ ଆପେ କଥାର ସମାଧାନ ହେଇଯିବ । ତୁମ୍ଭମାନଙ୍କ ମଧ୍ୟରୁ ଯାହାର ଅଭାବରେ ଶରୀରର ଅବସ୍ଥା ସବୁଠାରୁ ଅଧିକ ଶୋଚନୀୟ ହୋଇ ପଡ଼ିବ, ସେ ହିଁ ସମସ୍ତଙ୍କ ଅପେକ୍ଷା ବଡ଼ ବୋଲି ଜଣାଯିବ ।

 

ଏଥିରେ ସମସ୍ତେ ରାଜି ହେଲେ । କଥା ଆଗ କହିଲା ମୁଁ ଦେହ ଛାଡ଼ି ଚାଲିଯାଉଛି । ମୁଁ ଅଛି ବୋଲି ତୁମ୍ଭେମାନେ ମୋର କାମ ଜାଣିପାରୁନାହିଁ ।

 

ଏହା କହି କଥା ଦେହ ଛାଡ଼ି ଚାଲିଗଲା । ବର୍ଷକ ପରେ ଆସି ଦେହକୁ ପଚାରିଲା କ’ଣ ଭାଇ ! ସବୁ ଭଲ ?

 

ଦେହ ଉତ୍ତର ଦେଲା ସବୁତ ସୁରୁଖୁରୁରେ ଚାଲିଚି । କଥା କହିବାକୁ ପଡ଼ୁନ ଥିବାରୁ ଚିନ୍ତା କରିବାକୁ ଅଧିକ ସମୟ ମିଳୁଚି । ଖୁବ୍‌ ଶାନ୍ତିରେ ଅଛି ।

 

କଥାର ମୁହଁ ଶୁଖିଗଲା । ସେ ପୁଣି ନିଜ କାମରେ ଲାଗିଗଲା ।

 

ଆଖି ବାହାଦୁରି କରି ସେମିତି ଦେହ ଛାଡ଼ି ଚାଲିଗଲା । ବର୍ଷକ ପରେ ଆସି ପଚାରିବାରୁ ଦେହ ଉତ୍ତର ଦେଲା–ବେଶି କିଛି ଅସୁବିଧା ହୋଇ ନାହିଁ । ଦୁନିଆରେ ବହୁ ଅନ୍ଧ ଅଛନ୍ତି । ସେମାନେ ତପୁଣି ଚଳୁଛନ୍ତି !

 

ଆଖି ଏକଥା ଶୁଣି ତାଟବା ! ସେ ହତାଶ ହୋଇ ଶେଷରେ ତା କାମରେ ଲାଗିଗଲା ।

 

କଥା ଓ ଆଖିର ଏ ଅବସ୍ଥା ଦେଖି କାନର ଛାତି କୁଣ୍ଢେମୋଟ । ସେ ଦେହ ଛାଡ଼ି ଗାଲିଗଲା । ବର୍ଷକ ପରେ ଆସି ଦେହକୁ ପଚାରିଲା କିଓ ବନ୍ଧୁ ! ମୋର ମହିମା ଏବେ ବୁଝିଲ ? ସମସ୍ତଙ୍କ ଠାରୁ ମୁଁ କିମିତି ବଡ଼ ଆଗରୁ ମାନି ନେଇଥିଲେ, ଏତେ ଅସୁବିଧା ଭୋଗିବାକୁ ପଡ଼ିନଥାନ୍ତା !

 

ଦେହ ଉତ୍ତର ଦେଲା କାଇଁ କିଛି ଅସୁବିଧା ତ ହୋଇ ନାହିଁ । କାଲମାନେ ତ ପୁଣି କାନ ନଥାଇ ବର୍ଷ ବର୍ଷ ଧରି ଚଳୁଛନ୍ତି । ତୁମେ ନଥିବାରୁ ମୁଁ ବରଂ ଦୁନିଆର ବହୁ ଅଦରକାରୀ ଆଉ ପାପ କଥା ଶୁଣିବାରୁ ରକ୍ଷା ପାଇଲି ।

 

କାନର ସବୁ ଗର୍ବ ଖର୍ବ ହୋଇଗଲା । ସେ ମନ ଦୁଃଖରେ ପୁଣି ତାର ନିଜ ସ୍ଥାନକୁ ଫେରି ଆସି ତା କାମରେ ଲାଗିଗଲା ।

 

କାନ ପରେ ମନର ପାଳି ପଡ଼ିଲା । ସେ ଭାବିଥିଲା ତାର ଅନୁପସ୍ଥିତିରେ ଦେହ ଅଚଳ ହୋଇଯିବ । ମାତ୍ର ସେ ବର୍ଷେ କାଳ ଦେହରୁ ଚାଲିଯାଇ ଯେତେବେଳେ ଫେରିଲା ତାର ଛାତି ଗର୍ବରେ କୁଣ୍ଢେମୋଟ । ସେ ଦେହକୁ ପଚାରିଲା କ’ଣ ବନ୍ଧୁ, ଏବେ ମୋର ବଡ଼ପଣ ବୁଝିଲ ? ଏ ବର୍ଷଟି କେଡ଼େ କଷ୍ଟକର ହୋଇ ନଥିବ ?

 

ଦେହ ଦାନ୍ତନିକୁଟେଇ କହିଲା ମୋର ତ ସେମିତି କିଛି କଷ୍ଟ ହୋଇ ନାହିଁ । ନିରୀହ ଶିଶୁ ଯେପରି ସରଳ ଶାନ୍ତ ଜୀବନ କଟାଏ, ମୁଁ ସେମିତି ଖୁବ୍‌ ଆରାମରେ ବର୍ଷଟି କଟାଇ ଦେଲି । ତୁମେ ନଥିବାରୁ ମୁଁ ନାନା ଖରାପ ଚିନ୍ତାରୁ ରକ୍ଷା ପାଇଲି ।

 

ମନର ମୁହଁ ଫିକା ପଡ଼ିଗଲା । ସେ ଚୁପ୍‌ ହୋଇ ନିଜ କାମରେ ଲାଗିଲା ।

 

ଶେଷରେ ଆତ୍ମାର ପରୀକ୍ଷା ହେଲା । ସେ ଧୀର ସ୍ୱରରେ କହିଲା ତୁମ୍ଭେମାନେ ଜଣଙ୍କ ପରେ ଜଣେ ଦେହ ଛାଡ଼ି ବର୍ଷକ ପରେ ଫେରିଲ । ଏଥର ମୋତେ ଅନୁମତି ଦିଅ । ମୁଁ ବର୍ଷେ କାଇଁକି ମୁହୂର୍ତ୍ତେ ମାତ୍ର ଏଇ ପିଣ୍ତ ଛାଡ଼ି ବୁଲି ଆସୁଚି ।

 

ଏହା କହି ଆତ୍ମା ଦେହ ଛାଡ଼ି ଯେତେବେଳେ ଯିବାକୁ ବାହାରିଲା, ସାରା ଶରୀର ଅବଶ ହୋଇପଡ଼ିଲା । ଦେହର ସବୁ କାମ ଯେମିତି ବନ୍ଦ ହେବାକୁ ବସିଲା । ପାଟିରୁ କଥା ବାହାରିଲା ନାହିଁ । ଆଖିକୁ କିଛି ଦିଶିଲା ନାହିଁ । କାନକୁ ଶୁଭିଲା ନାହିଁ । ମନ କିଛି ଭାବି ପାରିଲା ନାହିଁ । ସେମାନେ ସବୁ ରହି ନରହିଲା ପରି ହେଲା ।

 

ସମସ୍ତେ ଏକ ସ୍ୱରରେ ପାଟି କରି ଉଠିଲେ ଆତ୍ମା ! ତୁମେ ବଡ଼, ତୁମେ ସବୁଠୁଁ ବଡ଼ । ଆମେ ଏବେ ତୁମର ମହିମା ଜାଣିଲୁ । ଆମର ତମପଣ ପାଣିଫୋଟକା ପରି ଫାଟିଗଲା । ତୁମେ ଦେହ ଛାଡ଼ି ଯାଅ ନାହିଁ । ତୁମେ ଗଲେ ଆମେ ବି ତୁମେ ଦେହ ଛାଡ଼ି ଯାଅ ନାହିଁ । ତୁମେ ଗଲେ ଆମେ ବି ତୁମର ସାଥି ସାଥି ଯିବୁ ।

 

ଆତ୍ମା ସେମାନଙ୍କ ଆକୁଳ ଚିତ୍କାର ଶୁଣିଲା । ସବୁରି ଅନୁରୋଧ ରକ୍ଷା କରି ଦେହରେ ଆଗ ଭଳି ରହିଲା ।

 

ବ୍ରହ୍ମା କହିଲେ ଏବେ ବୁଝିଲ ତୁମ ଭିତରେ କିଏ ବଡ଼ ?

 

ସମସ୍ତେ ଏକସ୍ୱରରେ ଆଉ ଥରେ କହିଲେ ଆତ୍ମା !

 

ଚଇତନ ଦାସ କହିଲେ ଏବେ ବୁଝିଲ ଆତ୍ମା କିପରି ବଡ଼ ! ସେମିତି ଗଛଲତା, ପାଣି ପବନ, ପାହାଡ଼ ପର୍ବତ ପ୍ରଭୃତି ଦେଶର ଦେହଠାରୁ ତାର ଆତ୍ମା ଆମେ ସବୁ ମଣିଷ ନିଶ୍ଚୟ ବଡ଼ । ଆମେ ସବୁ ଭଲ ହେଲେ ଦେଶ ଆମର ଉନ୍ମତ ହେବ । ଆମେ ସମସ୍ତେ ଏକାଠି ହୋଇ ମନ ମିଳାଇ ଭଲ କାମ କଲେ ଭାରତମାତା ଆମର ହସି ଉଠିବ, ତାର ଦୁଃଖ ଦରଦ କେଉଁଆଡ଼େ ଲିଭିଯିବ । ଯୁବମେଳାର ନିର୍ଦ୍ଦେଶକବାବୁ ସେଇଆ କହୁଥିଲେ । ଏବେ ନାତିପୁଆ ବୁଝିଲୁ ତାଙ୍କର ଏକଥା !

 

ହୁରୁଷି କହିଲା ହଁ ହଁ ବୁଝିଲି ଅଜା, କଥାଟା ତ ଭାରି ମଜା !

 

ଗତି ବହତ ହେଲାଣି । ସେଦିନର ବୈଠକ

Image

 

ଆନନ୍ଦ ଉଲାସ ଉତ୍ସବରେ ଲୁହଲହୁରଧାର

 

ଏଇ କେତେଦିନ ହେଲା କଲ୍ୟାଣପୁର ଗାଁରେ ବଡ଼ ଜାତୀୟ ସଭାଟି ହେବା ସଙ୍ଗେ ସଙ୍ଗେ ଜାତୀୟ ପର୍ବଟିଏ ଖୁବ୍‌ ଜୋରସୋରରେ ପାଳିତ ହେଉଛି । ଶରତ ଋତୁ । ମାଟିମାଆ ହସି ଉଠିଚି । ସେ ଶୋଭାର ପସର ମେଲି ଦେଇଛି । ଉପରେ ଆକାଶ ଯେମିତି ନେଳିଆ ଆଉ ପରିଷ୍କାର, ନଈ ପୋଖରୀର ପାଣି ସେମିତି କାଚକେନ୍ଦୁ ପରି ସଫା । ଗାଁ ଚଉଦିଗରେ ଧାନକ୍ଷେତର ଶାଗୁଆ ଲହରୀ ଶିରି ଶିରି ପବନରେ ଖେଳିଯାଉଚି ।

 

ଏଇପରି ସରସ ସୁନ୍ଦର ଅବସ୍ଥାରେ ମା’ ଦୁର୍ଗା ମରତଭୂଇଁକୁ ଓହ୍ଲାଇ ଆସିଛନ୍ତି । ସବୁରି ମନରେ ଆଶା ଆଉ ଆନନ୍ଦ ଭରି ଉଠିଚି । ମନର ସବୁତକ ଆଦର ଆଉ ଶରଧା ଆଜାଡ଼ି ଲୋକେ ମା’ଙ୍କର ପୂଜା ଅରଚ୍ଚନାରେ ଲାଗି ପଡ଼ିଛନ୍ତି ।

 

ଏକ ଦିଗରେ ସଭାମାନଙ୍କରେ ଆଉ ଅନ୍ୟ ଦିଗରେ ଦୁର୍ଗାପୂଜାରେ ଯୋଗଦେଇ ଗାଁର ପିଲାଠାରୁ ବୁଢ଼ାଯାଏ ଅଣନିଃଶ୍ୱାସୀ । ସମୟଟା ବଢ଼ିନଈର ଟାଣ ସୁଅପରି କୁଆଡ଼େ ବହିଯାଉଚି ।

 

ଦୁର୍ଗାଙ୍କର ଷୋଳପୂଜା । ଆଜି ତାର ଶେଷଦିନଦଶମୀ । ଆଜି ଠାକୁରାଣୀଙ୍କର ମେଢ଼ ଗାଁ ପାଖ କୁଶଭଦ୍ରା ନଦୀରେ ବିସର୍ଜନ କରାଯିବ । ସେଥିପାଇଁ ସବୁରି ମନ ଭାରି ଉଚ୍ଚାଟ । ଦେବୀଙ୍କର ଶେଷ ଦର୍ଶନ ଆଉ ତାଙ୍କୁ ଶେଷଥର ପାଇଁ ଭକ୍ତି ଜଣାଇବାକୁ ଲୋକମାନେ କାଲିଠାରୁ ପିମ୍ପୁଡ଼ି ଧାରପରି ଛୁଟିଛନ୍ତି । ଏବେ ବି ସେମିତି ଚାଲିଚି ।

 

ଦୁର୍ଗାଙ୍କ ମେଢ଼ ଖୁବ୍‌ ଜାକଜମକରେ ବିସର୍ଜନ ହେବା ପାଇଁ ବାହାରିଲା । କଲ୍ୟାଣପୁର ଗାଁ ଟପି ଶୋଭାଯାତ୍ରାର ପଲଟଣ ଭାରି ସଲଟଣରେ ମେଳଣ ପଡ଼ିଆରେ ପହଞ୍ଚିଲା । ନାନାପ୍ରକାର ବାଜାର ଶବ୍ଦ, ଗୀତର ସୁର, ବାଡ଼ିଖେଳ, ପଟା ଆଖଡ଼ା ପ୍ରଭୃତିର ମନମତାଣିଆ ଦୃଶ୍ୟ ମଧ୍ୟରେ ମେଢ଼ ଆଗଇ ଚାଲିଲା । ଏଇ ଉଚ୍ଛବର ଆନନ୍ଦ ଉଲ୍ଲାସରେ ସମାଜର ସବୁ ଶ୍ରେଣୀର ଲୋକ ଭାଗ ନେଇଥାନ୍ତି । ସଲଟଣରେ ହରିଜନମାନଙ୍କର ବାଡ଼ିଖେଳ ଆଉ ମୁସଲମାନଙ୍କର ପଟା ଆଖେଡା ଭାରି ଭଲ ହେଉଥିଲା । ସବୁରି ମୁହଁରେ ଖୁବ୍‌ ତାରିଫ୍‌ ।

 

ବିନାମେଘରେ ବଜ୍ରପାତ ପରି ହଠାତ୍‌ ଆନନ୍ଦ ଉଲ୍ଲାସର କଳରୋଳ ଭିତରେ କାନ୍ଦକଟା, ଲୁହଲହୁର ଧାର ଛୁଟିଲା । ଭୀଷଣ ପାଟିତୁଣ୍ତ, ହୋ ହା ଘୋ ଘା ଭିତରେ ସବୁ ହସଖୁସି ଫସର ଫାଟିଗଲା । ତକତକ ସୁନାର କିରଣକୁ କଳାବଉଦ ଢାଙ୍କି ଦେଲା । ଚଉଦିଗ ଅଶାନ୍ତି, ଅସନ୍ତୋଷ, ହାହୁତାଶ ଓ ଦୁଃଖଭୟର ହାହାକାର ଭିତରେ ସବୁକିଛି ଆନନ୍ଦ ଆମୋଦ ଲୁଚିଗଲା ।

 

ଘଟଣା କ’ଣ ଅନେକ ଜାଣିପାରୁନାହାନ୍ତି । ମାତ୍ର ବିଜୁଳି ବେଗରେ ସମସ୍ତେ ଏକମୁହାଁ ହୋଇ ଧାଇଁଛନ୍ତି ! କଥା କ’ଣ ଜାଣିବାକୁ କାହାର ତର ନାହିଁ । ଜୀବନ ବିକଳରେ ଜଣେ ଅନ୍ୟ ଜଣକୁ ଦଳି ଚକଟି, ଧକ୍‌କା ମାରି ଛୁଟିଛନ୍ତି । ସବୁରି ତୁଣ୍ତରେ ଭୟବିକଳ ଚିତ୍କାର ।

 

ଶେଷରେ କଥାଟି ଜଣାପଡ଼ିଲା । ଦୁର୍ଗାଙ୍କର ମେଢ଼ ଯେତେବେଳେ ଇସ୍‌ମାଇଲପୁର ମସ୍‌କିଦ୍‌ ଦେଇ ଆଗେଇ ଚାଲିଲା ମସ୍‌ଜିଦ୍‌ ଭିତରୁ କିଏ ଜଣେ ଦି ତିନି ଖଣ୍ତ ଇଟା ମେଢ଼ ଉପରକୁ ଭୁସ୍‌ଭାସ୍‌ କରି ଫିଙ୍ଗିଦେଲା । ସେଥିରେ ଦି’ଜଣ ଲୋକ ଖଣ୍ତିଆ ଖାବରା ହୋଇଗଲେ । କେତେଜଣ ରାଗିଯାଇ ମସ୍‌ଜିଦ୍‌ ଭିତରେ ପଶି ତା ଭିତରେ ଥିବା ଦି’ ତିନିଜଣଙ୍କୁ କଷିକରି ମାଡ଼ ଦେଲେ ।

 

ସେଇଠୁ ଆରମ୍ଭ ହେଲା ପ୍ରଳୟକାଣ୍ତ । ଚାଲିଲା ମାର୍‌ପିଟ୍‌, ହାଣ୍‌କାଟ । ଛୁଟିଲା ଦଙ୍ଗା ଜଙ୍ଗଲର ନିଆଁ ପରି । ନିଜନିଜ ଭିତରେ ଯୁଗଯୁଗ ଧରି ରହିଥିବା ସ୍ନେହମମତାର ବନ୍ଧୁତା କୁଆଡ଼େ ଉଭେଇଗଲା । ଯେଉଁ ହିନ୍ଦୁମୁସଲମାନ ଭାଇ ଭାଇ ପରି ଚଳୁଥିଲେ, ସେମାନେ ହେଲେ ଭଗାରି, ଶତ୍ରୁ ଆଉ ସଇତାନ୍‌ ।

 

ବହୁ ନିରୀହ ଲୋକ ମାଡ଼ଖାଇଲେ । ଖଣ୍ତି ଆଖାବରା ହେଲେ । ଲହୁଲୁହାଣ ହେଲେ । କେତେ ଘର ପୋଡ଼ିଲା । କେତେ ଦୋକାନ ବଜାର ଲୁଟପାଟ୍‌ ହେଲା । ସୁଖଶାନ୍ତିଭରା ଜୀବନ ଦୁଃଖକଷ୍ଟ ଆଶାନ୍ତିରେ ହାହାକାର କରି ଉଠିଲା । ପୁଲିସ ଦଳ ଆସିଲେ । ଶହେ ଚଉରାଳିଶ ଜାରି ହେଲା । ପାଞ୍ଚଜଣ ଏକାଠିହୋଇ ଯାଇ ପାରିଲେ ନାହିଁ । ସାଂଧ୍ୟ ଆଇନ ଜାରି ହେଲା । ରାତିହେଲେ ଘରୁ କେହି ବାହାରି ପାରିଲେ ନାହିଁ । ତେବେ ସୁଦ୍ଧା ଲୁଚା ଚୋରା ଦଙ୍ଗା, ଗୁଣ୍ତାମି ଚାଲିଲା । ଭିତରେ ରାଗର ନିଆଁ କୁହୁଳିଲା । ସବୁଦିନିଆ ସରଳ ଶାନ୍ତ ଜୀବନ ଅଚଳ ଆଉ ଅଶାନ୍ତ ହୋଇପଡ଼ିଲା ।

 

ଏପରି ଦୁର୍ଘଟଣାରେ କଲ୍ୟାଣପୁର ଗାଁ ମୁଣ୍ତରେ ହେଉଥିବା ଯୁବସମ୍ମିଳନୀ ନୂଆ କାର୍ଯ୍ୟତ୍ରମ ଗ୍ରହଣ କଲା । ଯୁବକମାନେ ଘରକୁ ଘର ବୁଲି ଶାନ୍ତି, ମୈତ୍ରୀର ବାଣୀ ପ୍ରଚାର କଲେ । କାହାକୁ ଆଶ୍ୱାସନା ଦେଲେତ କାହାକୁ ଶାନ୍ତ କରାଇଲେ । କାହା ମନରେ ଆସ୍ଥା ଆଣିଲେତ କାହା ହୃଦୟରେ ଦୟା କ୍ଷମା ଜଗାଇଲେ । ସମସ୍ତେ ବୁଝିଲେ, ମନ ଦମ୍ଭ କଲେ, ହୃଦୟ ନିର୍ମଳ କଲେ । କିଏ ନିଜର ଭୁଲ ବୁଝିଲାତ କିଏ ଅନୁତାପ କଲା । ହିନ୍ଦୁ ମୁସଲମାନ ପରସ୍ପର ପୁଣି ସ୍ନେହମମତାର ବନ୍ଧନରେ ବାନ୍ଧିହେଲେ, କୋଳାକୋଳି ହେଲେ, ମେଳାମେଳି ହେଲେ । ପୁଲିସ୍‌ର କଟକଣା କୋହଳ ହେଲା । ନିଷେଧ ଆଦେଶ ସବୁ ଉଠିଗଲା । ସମାଜରେ ପୁଣି ଶାନ୍ତିସୁଖର ଲହରୀ ଖେଳିଗଲା ।

 

ରାସ୍ତାକଡ଼ରେ ଦୁର୍ଗାଙ୍କର ମୂର୍ତ୍ତି ଆଉ ମେଢ଼ ମୁହଁମାଡ଼ ପଡ଼ିଥିଲା । କି ହିନ୍ଦୁକି ମୁସଲମାନ, କି ହରିଜନ ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ଶୋଭାଯାତ୍ରରେ ବାହାରିଲେ । ଯୁବକମାନେ ଏସବୁର ଆୟୋଜନ କଲେ । ନାନାପ୍ରକାର ବାଜା ବାଜିଲା । ଭିନ୍ନ ଭିନ୍ନ ପ୍ରକାର ଗୀତ ଗାନ କରାଗଲା । ମଝିରେ ମଝିରେ ଫରି ଖେଳ, ପଟା ଆଖେଡ଼ା ଆଦି ଖେଳ ହେଲା । ସବୁରି ଆନନ୍ଦ ଉଲ୍ଲାସ ଭିତରେ ମେଢ଼ କୁଶଭଦ୍ରା ନଦୀରେ ବିସର୍ଜନ କରାଗଲା । ମନେ ହେଲା, ସତେ ଯେମିତି ସବୁ ସଂପ୍ରଦାୟର ଲୋକେ ନିଜ ମନର ପାପ, ସଂକୀର୍ଣ୍ଣତା ଆଉ ଭେଦଭାବକୁ କୁଣଭଦ୍ରାର ପବିତ୍ର ଜଳରେ ଧୋଇଦେଲେ ।

Image

 

ଏଇ ମୋ ଦେଶମାଟି ଆଦରର ମାଆଟି

 

ସେଦିନ ସଂଧ୍ୟାରେ ଯୁବମେଳା ତରଫରୁ ଏକ ମନୋରଞ୍ଜନ ବିଚିତ୍ରା ଅନୁଷ୍ଠାନ ହେଲା । ଆଠ ଦଶଖଣ୍ତି ଗାଁର ଲୋକ–ପିଲାଠାରୁ ବଡ଼ଯାଏ, ଏଠାରେ ଜମା ହୋଇ ଯାଇଥିଲେ । ପ୍ରଥମେ ଯୁବକମାନେ ସମୂହ ଭାବରେ ରାମଧୂନ କଲେ । ମଧୁର ସ୍ୱରରେ ଅନ୍ତର ଚହଲାଇ ସେମାନେ ଗାଇଲେ–

 

ରଘୁପତି ରାଘବ ରାଜାରାମ

ପତିତ ପାବନ ସୀତାରାମ ।

X X X

ଈଶ୍ୱର ଆଲ୍ଲା ତେରେ ନାମ

ସବ୍‌କୋ ସନ୍‌ମତି ଦେ ଭଗବାନ ।

 

ତାପରେ ଏକ ଏକାଙ୍କିକା ଅଭିନୀତ ହେଲା । ତାର ନାଁ ହେଲା ‘‘ସକଳେ ଆମେ ଭାଇଭଉଣୀ’’ । ତାର ବିଷୟବସ୍ତୁ ହେଲା–

 

୧୯୪୭ ମସିହାର କଥା । ଶୀତ ଦିନ । ହାଡ଼ଭଙ୍ଗା ଥଣ୍ତାରେ ଗୋଡ଼ହାତ କେମ୍ପା ମାରିଯାଉଛି । ତୁହାକୁ ତୁହା ଥଣ୍ତାପବନ ପିଟୁଛି । ବଙ୍ଗଳାର ନୂଆଖାଲି । ହିନ୍ଦୁ ମୁସଲମାନ ଗଣ୍ତଗୋଳର ଚିହ୍ନ କେଉଁଠୁ ଲିଭି ନାହିଁ । ସବୁରି ମନରେ ଭୟ ଅଶାନ୍ତି ପୂରି ରହିଥାଏ । ମହାତ୍ମା ଗାନ୍ଧି ପାଦରେ ଚାଲି ଚାଲି, ଗଳି କନ୍ଦିରେ ବୁଲି ବୁଲି ଶାନ୍ତିର ବାର୍ତ୍ତା ପ୍ରଚାର କରୁଥାନ୍ତି ।

 

ଗାନ୍ଧିଜୀ ଯୁଆଡ଼େ ଗଲେ, ସିଆଡ଼େ ଲୋକଭିଡ଼ । ତାଙ୍କୁ ଦେଖିବା ପାଇଁ ସବୁରି ମନରେ ନାହିଁ ନଥିବା ଉତ୍ସାହ ଆଉ ଉତ୍‌କଣ୍ଠା । ନୂଆଖାଲିର ଗୋଟିଏ ଭଙ୍ଗରୁଜା ଗାଁ । ଗାନ୍ଧି ତାଙ୍କ ନାତୁଣୀ ମନୁବେନ୍‌ଙ୍କୁ ସାଥିରେ ଧରି ଯାଉଥାନ୍ତି ।

 

ଗୋଟିଏ ଚାଳଘର । ବାହାର ପିଣ୍ତାରେ ତାଙ୍କ ଆଖି ପଡ଼ିଲା । ଛିଣ୍ତା କନ୍ଥାଟିଏ ଘୋଡ଼େଇ ହୋଇ ପିଲାଟିଏ ପଡ଼ିରହିଚି । ସତେ ଯେମିତି ମରଣକୁ ଅପେକ୍ଷା କରି ରହିଚି ସେଇ ଜୀର୍ଣ୍ଣଶୀର୍ଣ୍ଣ ପିଲାଟି । ଦୁଇ ତିନୋଟି ସ୍ତ୍ରୀଲୋକ ଅସହାୟା ଦୃଷ୍ଟିରେ ତାକୁ ଖାଲି ଚାହିଁ ରହିଥାନ୍ତି ।

 

ଗାନ୍ଧିଜୀ ତା ପାଖକୁ ଗଲେ । ସ୍ତ୍ରୀ ଲୋକମାନେ ଓଢ଼ଣା ଟାଣି ଘରଭିତରକୁ ଚାଲିଗଲେ-। ରୋଗିଣୀ ଝିଅ ଏକୁଟିଆ ପଡ଼ିରହିଲା ।

 

ମନୁବେନ୍‌ ଘର ଭିତରକୁ ପଶିଯାଇ ସ୍ତ୍ରୀଲାକମାନଙ୍କୁ କହିଲେ ତୁମ୍ଭମାନଙ୍କ ଦୁଆର ମୁହଁରେ ଗାନ୍ଧିଜୀ ଠିଆ ହୋଇଛନ୍ତି । ତାଙ୍କଭଳି ଜଣେ ଲୋକ ତୁମ ଦୁଆରକୁ ଆସିଛନ୍ତି । ତାଙ୍କୁ ଦେଖା କରିବାକୁ ଆସୁ ନାହିଁ କାହିଁକି ?

 

ସେତେବେଳେ ମୁସଲମାନଙ୍କର ଭିତରେ ପ୍ରଚାର ହୋଇଥାଏ ଯେ ଗାନ୍ଧିଜୀ ହିନ୍ଦୁ, ସେମାନଙ୍କର ଶତ୍ରୁ । ଏଇ ସ୍ତ୍ରୀଲୋକମାନଙ୍କର ମଧ୍ୟ ସେଇ ଧାରଣା ଥିଲା । ତେଣୁ ସେମାନେ ଆଉ ଆସିଲେ ନାହିଁ ।

 

ବାହାରକୁ ଆସି ମନୁବେନ୍‌ ଦେଖିଲେ, ଗାନ୍ଧିଜୀ ତାଙ୍କ ଦେହରୁ ଖଦଡ଼ ଚାଦରଟି ବାହାର କରି ପିଲାଟିକୁ ଘୋଡ଼େଇ ଦେଇଛନ୍ତି । ସେ ନିଜେ ଶୀତରେ ଥୁରୁ ଥୁରୁ ହୋଇ ମରୁଥାନ୍ତି । ତାଙ୍କ ରୁମାଲ ଖଣ୍ତିକରେ ଝିଅଟିର ମୁହଁ ନାକ ପୋଛି ତାର ଗୋଡ଼ ହାତ ଆଉଁସି ଦେଉଥାନ୍ତି । ଗାନ୍ଧିଜୀ ଝିଅଟିର ଚିକିତ୍ସାରେ ଲାଗିପଡ଼ିଲେ । ତାକୁ ଉଷୁମପାଣି ଓ ମହୁ ପିଇବାକୁ ଦେଲେ । ମଥାରେ ତାର ଓଦାମାଟିର ପଟି ପକାଇଦେଲେ । ତାତି କମିଆସିଲା । ଜ୍ୱର ପୂରା ଛାଡ଼ିଗଲା ।

 

ସେତେବେଳେ ଗାଁର ପୁରୁଷମାନେ ଘରକୁ ଫେରିଥାନ୍ତି । ସ୍ତ୍ରୀଲୋକମାନେ ଗାନ୍ଧିଜୀଙ୍କର ଏପରି ବ୍ୟବହାର ଦେଖି ମୁଗ୍‌ଧହୋଇ ଯାଇଥାନ୍ତି । ସେମାନେ ସବୁକଥା ପୁରୁଷମାନଙ୍କୁ କହିବା ପରେ ସମସ୍ତେ ଗାନ୍ଧୀଙ୍କ ପାଖକୁ ଆସି ତାଙ୍କର ପାଦଧୂଳି ନେଲେ । ସେମାନେ ଭାବିଲେ ଯେ ସେ ହେଉଛନ୍ତି ପ୍ରକୃତରେ ଜଣେ ମହାତ୍ମା, ଗରିବମାନଙ୍କର ବନ୍ଧୁ ଆଉ ଦୁଃଖୀମାନଙ୍କର ଦେବତା ।

 

ଲୋକମାନେ ଆସି କହିଲେ ଆମେ ଆପଣଙ୍କୁ ଭୁଲ ବୁଝିଥିରୁ ବହୁ ହତାଦର କରିଛୁଁ । ସେଥିପାଇଁ ଅନୁତାପ କରୁଛୁଁ । ଆପଣଙ୍କ ଠାରୁ କ୍ଷମା ମାଗୁଛୁଁ । ଆମେ ଆପଣଙ୍କ ଉପକାର ସୁଝିପାରିବୁ ନାହିଁ । ଏବେ ଆପଣ ଆମଙ୍କୁ ଯାହା କରିବାକୁ କହିବେ ଆମେ କରିବୁଁ ।

 

ବାପୁଜୀ ହସି ହସି କହିଲେ ମୁଁ ତୁମ୍ଭମାନଙ୍କର କିଛି କରି ନାହିଁ । ମୋର ଯାହା କର୍ତ୍ତବ୍ୟ ମୁଁ କଲି । ତୁମେ ତୁମର କର୍ତ୍ତବ୍ୟ କର । ତୁମ୍ଭେମାନେ କାହାକୁ ଭୁଲ ବୁଝା ନାହିଁ । ଅକାରଣରେ ରାଗ ରୋଷ ଆଉ ଘୃଣା କରି କାହାର କ୍ଷତିକର ନାହିଁ । ତା’କଲେ ନିଜର କ୍ଷତି ହେବ । କାହାକୁ ଭୟ କର ନାହିଁ କିମ୍ୱା କାହା ମନରେ ଭୟ ଜାତ କରାଅ ନାହିଁ । ଆମେ ସମସ୍ତେ ଭଗବାନଙ୍କର ସନ୍ତାନ । ତେଣୁ ସକଳେ ଆମେ ଭାଇଭଉଣୀ । ଏଇ ଭାବ ମନରେ ରଖି ତୁମ୍ଭେମାନେ କାମକଲେ ମୁଁ ସୁଖୀ ହେବି । ସମସ୍ତେ ଭଲରେ ରହିବେ । ଆଲ୍ଲା ଖୁସି ହେବେ ।

 

ଏହାପରେ ଗୋଟିଏ ରୂପକର ଅଭିନୟ ହୋଇଥିଲା । ତାର ନାଁ ଥିଲା ‘‘ସମୟର ରଥଚକ ତଳେ ।’’ ମଧ୍ୟଯୁଗରେ ହିନ୍ଦୁ ଓ ମୁସଲମାନ ଧର୍ମ କିପରି ପରସ୍ପରକୁ ପ୍ରଭାବିତ କରିଥିଲେ ଆଉ କେତେକ ମହାତ୍ମା କିପରି ଉଭୟ ସଂସ୍କୃତିର ମିଳନ ଘଟାଇଥିଲେ, ତାହା ଏଇ ରୂପକର ବିଷୟବସ୍ତୁ ।

 

ଭାରତିର ରଙ୍ଗମଞ୍ଚ ଉପରେ ଗ୍ରୀକ୍‌, ପାରସୀ, ଇଉଚି, କୁଶାଣ, ହୂଣ ପ୍ରଭୃତି ବୈଦେଶିକମାନଙ୍କ ଆକ୍ରମଣର ଅଭିଯାନ । ଏମାନେ ଭାରତର ଶରୀରକୁ ଜୟ କରିଥିଲେ । ମାତ୍ର ଭାରତର ଆତ୍ମା ତାର ଲୋକ ଓ ସଂସ୍କୃତି ଏମାନଙ୍କୁ ଜୟ କରିଥିଲା ଫଳରେ ବୈଦେଶିକମାନେ ନିଜର ଜାତୀୟତା ଛାଡ଼ି ଭାରତୀୟ ମହାଜାତୀୟତା ଆଦରି ନେଇଥିଲେ । ସେମାନଙ୍କ ବୈଦେଶିକତା ଭାରତର ସାଂସ୍କୃତିକ ଅନ୍ତରାତ୍ମାରେ ଲୀନ ହୋଇ ଯାଇଥିଲା ।

 

କିନ୍ତୁ ମୁସଲମାନମାନେ ଭାରତ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଧର୍ମପ୍ରଚାର କରିଥିଲେ । ଏ ଦେଶର ଧର୍ମ ଆଉ ଆଚାର ବିଚାରକୁ ଘୃଣାକଲେ । ସେମାନେ ହିନ୍ଦୁମାନଙ୍କୁ କାଫେର ଆଉ ହିନ୍ଦୁମାନେ ସେମାନଙ୍କୁ ‘ମ୍ଳେଚ୍ଛ’, ‘ଯବନ’ ବୋଲି କହିଲେ । ଫଳରେ ଦୁଇ ଧର୍ମ ଓ ସଂସ୍କୃତି ମଧ୍ୟରେ ସଂଘର୍ଷ ଜାତ ହୋଇଥିଲା ।

 

କ୍ରମେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବନ୍ଧତା ବଢ଼ିଲା ମୁସଲମାନ ପଣ୍ତିତଗଣ ହିନ୍ଦୁ ଧର୍ମ, ସାହିତ୍ୟ ଆଉ ଆଚରଣର ମହତ୍ତ୍ୱ ଦେଖାଇଲେ । ହିନ୍ଦୁ ମହାପୁରୁଷମାନେ ଇସ୍‌ଲାମ ଧର୍ମର ବିଶେଷତ୍ୱ ପ୍ରକାଶ କଲେ ।

 

ଭାରତର ଅଧିକାଂଶ ମୁସଲମାନ ଏହି ଦେଶର ଆଦିମ ବାସିନ୍ଦା । ସେମାନେ କେବଳ ଇସ୍‌ଲାମ ଧର୍ମ ଗ୍ରହଣ କରି ମୁସଲମାନ ହୋଇଛନ୍ତି । ମାତ୍ର ଅଳ୍ପ କେତେକ ମୁସଲମାନ ଭାରତ ବାଦ୍ୱାରୁ ଆସି ଏ ଦେଶର ଅଧିବାସୀ ହୋଇଛନ୍ତି । ଶହ ଶହ ବର୍ଷଧରି ସେମାନେ ଏକାଠି ଚଳିଲେ-। ନିଜ ନିଜର ଦୁଃଖସୁଖରେ ଭାଗୀ ହେଲେ । ପରସ୍ପରକୁ ବୁଝିଲେ । ଉଭୟ ସଂପ୍ରଦାୟ ଭିତରେ ବନ୍ଧୁତା ବଢ଼ିଲା । ଧର୍ମ, ଆଚାର ବିଚାର, ବେଶଭୂଷା, ଖାଦ୍ୟ, ଭାଷା, ସଙ୍ଗୀତ, କଳା ଓ ସ୍ଥାପତ୍ୟ ଦିଗରେ ଉଭୟେ ପରସ୍ପରକୁ ପ୍ରଭାବିତ କଲେ । ଏଦିଗରେ କେବଳ ଜନସାଧାରଣ ପ୍ରଭାବିତ କଲେ । ଏଦିଗରେ କେବଳ ଜନସାଧାରଣ ନୁହନ୍ତି, ଉଭୟ ଧର୍ମର ରାଜା, ମହାରାଜାମାନେ ଉତ୍ସାହ ଦେଇଥିଲେ ।

 

ବଙ୍ଗଳାର ଶାସନ ହୁସେନ୍‌ ଶାହାଙ୍କ ଅମଳରେ ଉଭୟ ଧର୍ମକୁ ସୁହାଇଲାଭଳି ‘‘ସତ୍ୟପୀର’’ ପୂଜା ଆରମ୍ଭ ହୋଇଥିଲା । ଦାକ୍ଷିଣାତ୍ୟର ଜଣେ ମହାତ୍ମା ରାମାନନ୍ଦ ରାମଭକ୍ତ ଥିଲେ-। ସେ ନିଜେ ଜାତିରେ ବ୍ରାହ୍ମଣ ଥିଲେ ସୁଦ୍ଧା ଜାତିପ୍ରଥାକୁ ମାନୁନ ଥିଲେ । ସେ ବୈଷ୍ଣବ ଧର୍ମ ପ୍ରଚାର କରି ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ତାଙ୍କର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ।

 

ଶିଖ୍‌ ଧର୍ମଶାସ୍ତ୍ର ‘‘ଗ୍ରନ୍ଥସାହେବ’’ ରେ ତାଙ୍କର କବିତାଟିଏ ଅଛି । ତାର ସାରକଥା ହେଲା ଗନ୍ଧଚନ୍ଦନାଦି ନେଇ ଭଗବାନଙ୍କୁ ପୂଜା କରିବା ପାଇଁ ଯିବାକୁ ବାହାରିଥିଲି । କିନ୍ତୁ ମୋ ଗୁରୁ କହିଲେ ଯେ, ଭଗବାନ ମୋ ହୃଦୟରେ ଅଛନ୍ତି । ମୁଁ ଯେଉଁଠିକି ଯାଉଚି, ସେଠି ଖାଲି ପାଣି ଓ ପଥର ପୂଜା ପାଉଥିବାର ଦେଖୁଛି । ଭକ୍ତମାନେ ଭଗବାଚଙ୍କ ସନ୍ଧାନ ପାଇପାରୁ ନାହାନ୍ତି । ମୋର ସେ ଭୁଲ ଦୂର ହୋଇଛି । ମୋ ମନ-ମନ୍ଦିରରେ ହିଁ ଭଗବାନ ଅଛନ୍ତି । ସେ ହିଁ ମୋର ପ୍ରକୃତ ଗୁରୁ-

 

ରାମାନନ୍ଦଙ୍କର ଜଣେ ପଟ୍ଟଶିଷ୍ୟ କବୀର । ଦିନେ ଗରିବ କବୀର ନଈକୂଳରେ ଶୋଇଥିଲେ । ସକାଳୁ ଗାଧୋଇ ରାମାନନ୍ଦ ଫେରିବା ସମୟରେ ଭୁଲରେ କବୀରକୁ ମାଡ଼ି ପକାଇଲେ । ସେ ସଙ୍ଗେ ସଙ୍ଗେ ‘‘ରାମ ରାମ’’ କହିଲେ । କବୀର ସେତେବେଳେ ରାମମନ୍ତ୍ର ଗ୍ରହଣ କଲେ । ପରେ ରାମାନନ୍ଦ ଏସବୁ କଥା ଜାଣି କବୀରଙ୍କୁ ଶିଷ୍ୟ କରିଥିଲେ । ସେ ନିର୍ମଳ ଜୀବନ କଟାଇ ମହାପୁରୁଶ ହୋଇପାରିଥିଲେ ।

 

ସେ ସନ୍ନ୍ୟାସୀ ହୋଇ ନିଜ ଦେହ ଉପରେ ଅତ୍ୟାଚାର କରିବାକୁ ପସନ୍ଦ କରୁନଥିଲେ । ସେ ସରଳ ଗୃହସ୍ଥ ଜୀବନ ଯାପନ କରୁଥିଲେ । ନିଜ ହାତରେ ଲୁଗା ବୁଣୁଥିଲେ ଆଉ ନିଜେ ବଜାରରେ ବିକି ପେଟ ପୋଷୁ ଥିଲେ । କବୀର ଜାତିପ୍ରଥାକୁ ଘୃଣା କରୁଥିଲେ । ଉଭୟ ହିନ୍ଦୁ ଓ ମୁସଲମାନ ଶିଷ୍ୟଙ୍କୁ ସରଳ ସୁନ୍ଦର ଭଜନ ଜରିଆରେ ଭକ୍ତିଶିକ୍ଷା ଦେଉଥିଲେ ।

 

‘‘କବୀର ଆଲ୍ଲା ଓ ରାମର ସନ୍ତାନ’’ ବୋଲି ସେ କହୁଥିଲେ । ଆଉ ଉଭୟ ସଂପ୍ରଦାୟ ମଧ୍ୟରେ ସଦ୍‌ଭାବ ଆଣିବାକୁ ଚେଷ୍ଟା କରିଥିଲେ । ଉଭୟେ ତାଙ୍କୁ ଖୁବ୍‌ ଭକ୍ତି କରୁଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ପରେ ହିନ୍ଦୁମାନେ ତାଙ୍କ ଶବକୁ ଦାହ କରିବାକୁ ଚାହିଁଲେ, ମୁସଲମାନମାନେ କବର ଦେବାକୁ କହିଲେ । ବହୁ କଳହ ପରେ ମୃତ ଦେହ ଉପରୁ ଚାଦରଟି କାଢ଼ି ନିଆଗଲା । କେବଳ କେତୋଟି ଫୁଲଛଡ଼ା ଆଉ କିଛି ନଥିଲା । ହିନ୍ଦୁମାନେ ଅଧେ ଫୁଲ ନେଇ ବାରାଣସୀରେ ଦାହ କଲେ ଆଉ ମୁସଲମାନମାନେ ଅଧେ ଫୁଲ ନେଇ କବର ଦେଲେ ।

 

ସେଇପରି ନାନକ ପଲାଦିନୁ ଈଶ୍ୱରଙ୍କ ଭକ୍ତିରେ ବିହ୍ୱଳ ହୋଇଥିଲେ । କୌଣସି ସାଂସାରିକ କାର୍ଯ୍ୟ ବା ପଢ଼ାପଢ଼ିରେ ତାଙ୍କର ମନ ଲାଗିନଥିଲା । ଶେଷରେ ଭଗବାନଙ୍କ ସାକ୍ଷାତ ଲାଭ କଲେ । ନିଜର ସବୁକିଛି ଗରିବ ଲୋକମାନଙ୍କୁ ଦାନକରି ନିଜେ ସାଧୁସନ୍ଥଙ୍କ ଗହଣରେ ଚଳିଲେ । ସେ ନିର୍ମଳ ଚରିତ୍ର ଉପରେ ଖୁବ୍‌ ଗୁରୁତ୍ୱ ଦେଇ ଥିଲେ । ସରଳ ଭକ୍ତିରସପୂର୍ଣ୍ଣ କବିତା ଗାଇ ମକ୍‌କା, ମଦିନା, ସଂହଳ ଆଦି ଦେଶ ବିଦେଶରେ ବହୁ ଅଞ୍ଚଳ ବୁଲିଥିଲେ । ଉଭୟ ହିନ୍ଦୁ ମୁସଲମାନ ତାଙ୍କର ଶିକ୍ଷ୍ୟ ହୋଇଥିଲେ । ତାଙ୍କର ମୃତ୍ୟୁପରେ ସେମିତି ଶେଷକୃତ୍ୟ ନେଇ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ପରେ ଦେଖାଯାଇଥିଲା ଯେ ନାନକଙ୍କ ଦେହ ବଦଳରେ କେବଳ ଦୁଇଢୋଡ଼ ଫୁଲ ପଡ଼ ରହିଚି । ଶିଖଧର୍ମ ନାମକଙ୍କ ପ୍ରଚାରର ଫଳ ।

 

ଶ୍ରୀଚୈତନ୍ୟ ରାଧାକୃଷ୍ଣଙ୍କ ପ୍ରେମ ଲୀଳାରେ ମଜ୍ଜି ଯାଇଥିଲେ । ସେ ନାଚି ନାଚି ଅହରହ କୃଷ୍ଣନାମ କୀର୍ତ୍ତନ କରୁଥିଲେ । ସବୁ ଜାତି ଆଉ ଧର୍ମର ଲୋକଙ୍କୁ ସେ ଦୀକ୍ଷା ଦେଇଥିଲେ-। ସେ ଭାରତର ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସବୁ ଅଞ୍ଚଳରେ ବୁଲିଥିଲେ । ଅନେକ ପଣ୍ତିତ ତାଙ୍କର ଶିଷ୍ୟ ହୋଇଥିଲେ । ପୁରୀରେ ରହିବା ବେଳେ ଓଡ଼ିଶାର ରାଜା ପ୍ରତାପରୁଦ୍ର ତାଙ୍କର ଶିକ୍ଷ୍ୟ ହୋଇଥିଲେ । ସାର ଭାରତରେ ସେ ବୈଷ୍ଣବ ଧର୍ମର ପ୍ରେମମନ୍ତ୍ର ପ୍ରଚାର କରି ଜାତୀୟ ଏକତାରେ ସାହାଯ୍ୟ କରିଥିଲେ । ବୈଷ୍ଣବ ହେଲେ ଜାତିଭେଦର ମେଘନାଦ ପାଚିରୀ ଭାଙ୍ଗି ଯାଉଥିଲା ।

 

ଏଇ ରୂପକ ପରେ ଏକ ମିଳିତ କଣ୍ଠସଂଗୀତ ଗାନ କରାଯାଇଥିଲା । ତାହା ହେଲା—

 

ଏଇ ମୋ ଦେଶ ମାଟି

ଏହାରି କୋଳେ ଜନମ ମୋର

ଏଇଠି ଆମ ଘର ଦୁଆର

କି ମଧୁରୀ ନାଆଁଟି

ଏଇ ମୋ ଦେଶ ମାଟି ।

ଏଇ ଦେଶର ପାଣି ପବନ

ଏଇ ମାଟିର ଫଳ ଫସଲ

ଗଢ଼ିଲା ଏ ଦେହଟି

ଏଇ ମୋ ଦେଶ ମାଟି ।

ଏଇ ଦେଶର ଶାଗୁଆ ଶିରୀ

ଆଖିରେ ଦେଲା ଆଲୁଅ ଭରି

ମୁହେଁ ଦେଲା ଭାଷାଟି

ଏଇ ମୋ ଦେଶ ମାଟି ।

ଏଇ ମାଟିର କୀରତି ଗାଥା

ଏଇ ଦେଶର ପୁରାଣ କଥା

ଜାଳେ ଅଲିଭା ବଢୀ

ଏଇ ମୋ ଦେଶ ମାଟି ।

ଏଇ ଦେଶର ଯୋଗ୍ୟ ସନ୍ତାନ

କଳା ବିଜ୍ଞାନେ ରଖିଲେ ନାମ

ସବୁଙ୍କୁ ଗଲେ ଜିତି

ଏଇ ମୋ ଦେଶ ମାଟି ।

ଏ ଦେଶେ ଆସି ବିଦେଶୀ ଜାତି

ଧନ ଦରବ ନେଲେରେ ଲୁଟି

ଜନତା ଗଲା ମାତି

ଏଇ ମୋ ଦେଶ ମାଟି ।

ବାପୁଜୀ ଡାକେ ଜାଗିଲା ଜାତି

ବୀର ଭାରତ ଉଠିଲା ତାତି

ଫିରିଙ୍ଗ ଗଲା ହଟି

ଏଇ ମୋ ଦେଶ ମାଟି ।

ଏଇ ମୋ ଦେଶ ହେଲା ସ୍ୱାଧୀନ

ସାର ଜଗତେ ରଖିଲା ମାନ

ଚେଇଁଲା ନବଶକ୍ତି

ଏଇ ମୋ ଦେଶ ମାଟି ।

ରଚିଲୁ ଆମେ ନୁଆ ଯୋଜନା

ଏ ମୋ ଭୂଇଁରେ ଫଳିଲା ସୁନା

ହସିଲା ଦେଶ ଗୋଟି

ଏଇ ମୋ ଦେଶ ମାଟି ।

ସକଳ ଗୁଣେ ହୋଇବୁ ବଡ଼

ଜ୍ଞାନେ ବିଜ୍ଞାନେ ଦେବୁରେ ଯୋଡ଼

ଆମେ ସନ୍ତାନ କୋଟି

ଏଇ ମୋ ଦେଶ ମାଟି

ଉଡ଼ିବୁ ଆମେ ନୀଳ ଆକାଶେ

ବୁଡ଼ିବୁ ଆମେ ଦରିଆ ଦେଶେ

ବିପଦ ଯେତେ କାଟି

ଏଇ ମୋ ଦେଶ ମାଟି ।

ସାରା ଦୁନିଆ ସାଇ ପଡ଼ିଶା

ସକଳେ ଆମେ ସାଥୀ ସରିସା

ଧରିବୁ ଗାନ୍ଧି ନୀତି

ଏଇ ମୋ ଦେଶ ମାଟି ।

ମୋ ଦେଶ ମାନ ମହତ ପାଇଁ

ଜୀବନ ଦେବୁ ପାଣିଛଡ଼ାଇ

ଆଦରର ମାଆଟି,

ଏଇ ମୋ ଦେଶ ମାଟି ।

 

ଏତିକିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଶେଷ ହେଲା । ଢାଳିମାରି ଲୋକମାନେ ଏହାର ଖୁବ୍‌ ତାରିଫ୍‌ କଲେ । ସବୁରି ମନରେ ଆନନ୍ଦ ଖେଳିଗଲା ।

Image

 

ମଣିଷ ଦେହେ ଦିବ୍ୟ ଜ୍ଞାନ

 

ତହିଁ ଆରଦିନ ଖରାବେଳ । କଲ୍ୟାଣପୁର କ୍ଳବ ଘରେ ଭାରି ଭିଡ଼ । ସବୁରି ତୁଣ୍ତରେ ଯୁବମେଳାର କାର୍ଯ୍ୟ । କେଡ଼େ ସୁନ୍ଦର ! କେତେ ମଜା ହେଲା ? ପିଲାମାନେ କେଡ଼େ ମଧୁର ଗୀତ ଗାଇଲେ ? ଏକାଙ୍କିକାରେ ଯିଏ ଗାନ୍ଧିଜୀ ହୋଇଥିଲା, ଯେମିତି ସତ ! ସାକ୍ଷାତ୍‌ ମହାତ୍ମା ଗାନ୍ଧି ଯେମିତି ରଙ୍ଗମଞ୍ଚ ଉପରେ ଉଭା ହୋଇଯାଇ ଥିଲେ । ରୂପକରେ ମହାପୁରୁଷମାନଙ୍କ କଥା କେଡ଼େ ସରସ ଭାବରେ ଫୁଟିଥିଲା !

 

ହୁରୁଷି କିନ୍ତୁ ନିକଟରେ ଘଟିଯାଇଥିବା ଦଙ୍ଗା ଗଣ୍ତଗୋଳ ନେଇ ଭାରି ଚିନ୍ତତ । ତାର ମନ ଭାରି ଊଣା ହୋଇଯାଇଛି । ସାରା ଭାରତରୁ କେତେ ଭଦ୍ରଲୋକ ଆସିଛନ୍ତି । ଏସବୁ କଥା ଦେଖି କ’ଣ ଭାବିଥିବେ । ପବିତ୍ର ଜଗନ୍ନାଥ ଧାମରେ ପୁଣି ଏ’କି ନାରକୀୟ କାଣ୍ତ ! ଶାନ୍ତି ମୈତ୍ରୀ ଆଉ ସହନଶୀଳତା ପାଇଁ ବିଦ୍ୟାତ ଓଡ଼ିଶାଭୂଇଁରେ ଏ’କି ଅସୁନ୍ଦର, ଲଜ୍ୱାର କଥା !

 

ଚଇତନ ଦାସଙ୍କୁ ସେ ପଚାରିଲା ଅଜା, କି କଥାରୁ କେଡ଼େ ବଡ଼ କାଣ୍ତ ଘଟିଗଲା ! ଆମ ମୁଣ୍ତ ତଳକୁ ନଇଁଗଲା । ଏତେ ଆଡ଼ୁ ଲୋକେ ଆସିଥିଲେ କ’ଣ ଭାବିଥିବେ ?

 

ବଇତନ ଦାସ କହିଲେ ଅରେ ନାତି, ଏବେ କି ଖରାପ ବେଳା ପଡ଼ିଚି କେଜାଣି, ଖାଲି ଏଇଠି କାଇଁକି ଭାରତର ଚାରିଆଡ଼େ ଏମିତି ଝିମିଟିଖେଳରୁ ମହାଭାରତ ଘଟିଯାଉଚି ! କେବେ ଭଗବାନ୍‌ ସଦ୍‌ବୁଦ୍ଧି ଦେବେ କେଜାଣି !

 

ହୁରୁଷି ପଚାରିଲା ଝିମିଟିଖେଳରୁ ମହାଭାରତ କ’ଣ ଅଜା ?

 

ଚଇତନ ଦାସ କହିଲେ ଆରେ ଓଲୁ ଏଡ଼େ ସାମାନ୍ୟ କଥାରୁ ଜାତି ଜାତି ପ୍ରଦେଶ ପ୍ରଦେଶ, ସଂପ୍ରଦାୟ ସଂପ୍ରଦାୟ ସଂପ୍ରଦାୟ ଭିତରେ କେଡ଼େ କେଡ଼େ ଦୁର୍ଘଟଣା, ଦଙ୍ଗା ହେଙ୍ଗାମ ଘଟିଯାଏ । ଆଗେ ତ ଏମିତି ହେଉଥିଲା । ଏବେ କିନ୍ତୁ ବେଶୀ ଏମିତି ହେଉଛି । କିନ୍ତୁ ଝିମିଟି ବା ବାଗୁଡ଼ି ଖେଳରୁ କିପରି ଏଡ଼େ ବଡ଼ ମହାଭାରତ ଯୁଦ୍ଧ ହୋଇ ଯାଇଥିଲା ଶୁଣୁ ।

 

କୌରବ ଓ ପାଣ୍ତବମାନେ ଇନ୍ଦ୍ରପ୍ରସ୍ଥ ଆଖଡ଼ା ଶାଳରେ ଯୁଦ୍ଧବିଦ୍ୟା ଶିକ୍ଷା କରୁଥିଲେ । ଥରେ ସେମାନେ ବାଗୁଡ଼ି ଖେଳିବେ ବୋଲି ଠିକ୍‌ କଲେ । ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ ମୂଳଗଣ୍ତି ହେଲେ ଦୁଇଭାଗରେ ଖେଳାଳୀ ବଣ୍ଟା ହେଲେ । ଦୁର୍ଯ୍ୟୋଧନ ଭାଗରେ କର୍ଣ୍ଣ, ଦୁଃଶାସନ, ଶଲ୍ୟ, ଅଶ୍ୱତ୍‌ଥାମା ଆଦି ଆଉ ଯୁଧିଷ୍ଠିରଙ୍କ ଭାଗରେ ଭୀମ, ନକୁଳ, ସହଦେବ ପ୍ରଭୃତି ରହିଲେ ।

 

ଖେଳାଳୀ ବଣ୍ଟା ସରିଲା ବେଳକୁ ଭୀମ ଆଉ ଦୁଃଶାସନଙ୍କ ମଧ୍ୟରେ ଖୁବ୍‌ କଳିତକରାଳ ଆରମ୍ଭ ହୋଇଗଲା । ଭୀମ କହିଲା-ଆମ ଭାଗ ନୀରସ । ଦୁଃଶାସନ କହିଲା–ଆମ ଭାଗ ନୀରସ-। ଭୀମା ତ ସବୁ କଥାକୁ ବେପରବାୟ । ସେ ଦୁଃଶାସନକୁ କହିଲା ତୁ ଏତେ ମନଦୁଃଖ କାଇଁକି କରୁଛୁ ? ତୁମେ ସମସ୍ତେ ଗୋଟିଏ ପଟେ ରହ । ଆମେ ପାଞ୍ଚଭାଇ ଗୋଟିଏ ପଟରେ ରହୁଚୁ-। ଦେଖିବା କାହାର ବଳ କେତେ ?

 

ଦୁର୍ଯୋଧନ ଏଥିରେ ରାଜି ହେଲା । ଗୋଟିଏ ପଟରେ ସେ ତାରି ଶହେ ଭାଇ ଆଉ କର୍ଣ୍ଣ, ଶଲ୍ୟ, କୃପ ଇତ୍ୟାଦି ରହିଲେ । ଅନ୍ୟ ପଟରେ ଯୁଧିଷ୍ଠିର ତାଙ୍କର ଅନ୍ୟ ଚାରିଭାଇଙ୍କୁ ନେଇ ଖେଳିବାକୁ ଆରମ୍ଭ କଲେ ।

 

ପ୍ରଥମେ ଦୁଃଶା ନିଃଶ୍ୱାସ ଧରି ପାହି ଦେବାକୁ ଆସିଲା । ଚାରିଭାଇଙ୍କୁ ଗୋଡ଼ାଇ ଚୋଡ଼ାଇ ଶେଷରେ ଯୁଧିଷ୍ଠିରଙ୍କ ମୁହଁରେ ଏମିତି ଏକ ମୁଥ ଦେଲା ଯେ ସେ ଅଚେତ ହୋଇ ପଡ଼ିଗଲେ । ଆଉ ତାଙ୍କ ନାକରୁ ଧାରଧାର ହୋଇ ରକ୍ତ ଛୁଟିଲା । ଭୀମ ଏହା ଦେଖି ରାଗରେ ଥରିଗଲା । ମୁହଁ ନାଲି ଆଉ ଭୟଙ୍କର ଗର୍ଜନ କରି ସେ ଦୁଃସା ପଛରେ ଗୋଡ଼େଇଲା ।

 

ଶେଷରେ ସେ ଦୁଃଶା ଛାତିରେ ଖୁବ୍‌ ଜୋରରେ ଏକ ବିଧା ମାରିଲା । ସେ ସେଥିରେ ମୁହଁମାଡ଼ି ପଡ଼ିଲା । ତାପରେ ଧାଇଁ ଧାଇଁ ଦୁର୍ଯୋଧନ ଗାଲରେ ଏମିତି ଏକ ଚାଗୁଡ଼ା ମାରିଲ ଯେ ସେ ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିଲା । ଢାପରେ ଏକା ନିଃଶ୍ୱାସକେ କାହାକୁ ବିଧା, କାହାକୁ ଚାପୁଡ଼ା, କାହାକୁ ଗୋଇଠା, କାହାକୁ ଧକ୍‌କା ଦେଇ ସମସ୍ତଙ୍କୁ ଢଳେ ପକାଇଦେଲା ।

 

ଏତିକିରେ ଖେଳ ବନ୍ଦ ହେଲା । ଧୃତରାଷ୍ଟ୍ର ଏ ଖବର ପାଇ ଭୀଷ୍ମ ଓ ସଞ୍ଜୟଙ୍କୁ ଫୁଅମାନଙ୍କ ପାଖକୁ ପଠାଇଲେ । ସେମାନେ ସିଞ୍ଚା ବିଞ୍ଚା କରି କୌରବମାନଙ୍କୁ ଚେତା କରାଇଲେ-। ଦୁର୍ଯୋଧନ ଚେତା ପାଇଲା ମାତ୍ରେ ଭୀମକୁ ଖୋଜିଲା । ରାଗ ଆଉ ଲଭରେ ମୁହଁ ନାଲିପଡ଼ି ଯାଇଚି, ଦେହ ହାତ ଥରୁଛି । କିନ୍ତୁ ଭୀଷ୍ମ ବହୁତ ବୁଝାଇ ସୁଝାଇ ତାକୁ ଶାନ୍ତ କଲେ ।

 

ହେଲେ ଦୁର୍ଯ୍ୟୋଧନର ରାଗ ଯାଉଚି କେତେକେ ? ସେ ସଦାବେଳେ ଖୋଜିବସିଲା କେମିତି ଏହା ସୁଝାଇବ । ତେଣୁ ସେଇଦିନଠାରୁ କୌରବ ଓ ପାଣ୍ତବଙ୍କ ମଧ୍ୟରେ ଶତ୍ରୁତା ଚେଇଁ ରହିଲା । ଆଉ ଖେଳ ହେଲା ନାହିଁ । ହେଲେ ଘଡ଼ିକର ଝିମିଟିଖେଳ ଯୋଗୁଁ ଶେଷରେ ହେଲା ଅଠର ଦିନର ଭୟଙ୍କର ମହାଭାରତ ଯୁଦ୍ଧ ।

 

ରସପଞ୍ଚ ମଧୁ ମହାପାତ୍ର ସେଇଠି ଥାଇ ସବୁକଥା ଶୁଣୁଥିଲେ । ସେ କହିଲେ ସତେ ଆଜିକାଲି ସେମିତି ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ଲାଗିଯାଉଚି ।

 

ହୁରୁଷି କହିଲା–ଦେଖୁନ, ଏଇଠି ମେଢ଼ ଶୋଭାଯାତ୍ରାରେକିମିତି ଇସ୍‌ମାଇଲପୁର ମସ୍‌ଜିଦ୍‌ରୁ ଦି’ଟା ଟେକା ପଡ଼ିଲା ଆଉ ସେଥିରେ କେତେ କାଣ୍ତ ଘଟିଗଲା ?

 

ଚଇତନ ଦାସ କହିଲେ ଯୁବମେଳା ତରଫରୁ ଯେଉଁ ପ୍ରକାର କାର୍ଯ୍ୟ ହେଲା ଆଉ ଯୁବକମାନେ ଯେମିତି ସମସ୍ତଙ୍କୁ ନାନାରକମ ବୁଝାଇଲେ, ସେଥିରେ ନିଶ୍ଚୟ ସବୁରି ମନ ବଦଳି ଯାଇଥିବ । ମନ ବଦଳିଲେ ଯୁଗ ବଦଳିଯିବ ।

 

ହୁରୁଷି କହିଲା–ଅଜା, ମଣିଷ ପ୍ରକୃତି ମଲେ ତୁଟେ । ଆଉ ଏତିକିରେ କେଉଁଠି ଏମାନେ ବଦଳି ଯିବେ । ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ ।

 

ଚଇତନ ଦାସ କହିଲେ ଏତେ ହତାଶ ହୋଇ ପଡ଼ିଲେ ଦୁନିଆ ଚଳିବ ନାହିଁ, ହୁରୁଷି । ନିରାଶା ଭିତରେ ଆଶା ମଣିଷକୁ ଉନ୍ନତି ପଥରେ ଆଗେଇ ନିଏ । ରାତିଥିଲେ ତ ପୁଣି ସକାଳ ହୁଏ-! ମଣିଷମାରୁ ଡକାୟତ ଯେତେବେଳେ ମହାଋଷି ପାଲଟି ଯାଇପାରନ୍ତି, ସେତେବେଳେ ଏକଥା ବାକି ରହିବ ?

 

ସୁକୁଟା ପଚାରିଲା ଅଜା, କିମିତି ଡକାୟତଟା ଋଷି ପାଲଟି ଗଲ ? ବଡ଼ ଅସମ୍ଭବ କଥାତ ?

 

ଚଇତନ ଦାସ କହିଲେ–କେତେ କଥା ତୁମକୁ କହିବି ? ଆରେ ଏଟା ମୋର ମନଗଢ଼ା କଥା ନୁହେଁ । ଏହା ଶହ ଶହ, ହଜାର ହଜାର ବର୍ଷ ଧରି ଆମ ଦେଶରେ ଚଳି ଆସୁଥିବା ରାମାୟଣର ମୂଳକଥା । ହଉ, ଏବେ କହୁଚି ଶୁଣ ସେଇ ଅସମ୍ଭବ କଥା କିମିତି ସମ୍ଭବ ହେଲା ।

 

ରତ୍ନାକର ବୋଲି ଗୋଟିଏ ବଡ଼ ଡକାୟତ ଥିଲା । ବ୍ରାହ୍ମଣ କୁଳରେ ସିନା ତାର ଜନ୍ମ, ହେଲେ ଖଣ୍ଟବୃତ୍ତି କରି ପେଟ ପୋଷେ । ବଣ ଭିତରେ ରାସ୍ତା କଡ଼ରେ ଲୁଚି ରହିଥାଏ । ବାଟୋଇଟିଏ ଗଲେ ତାକୁ ହାଣି ମାରି ତା ପାଖରୁ ଧନତକ ନେଇ ଘର ଚଳାଏ ।

 

ଦିନେ ନାରଦ ଋଷି ସେଇବାଟେ ଯାଉଥିଲେ । ତାଙ୍କୁ ଏକୁଟିଆ ଦେଖି ରତ୍ନାକର ଚୁପ୍‌ କରି ଆସିଲା । ତାଙ୍କୁ ପଛରୁ ଧରି ପକାଇ ଦାଢ଼ୁଆ କଟୁରୀ ଦେଖାଇଲା । ନାରଦ ଋଷି ଭୟରେ ଥରହର । କହିଲେ–ଦେଖ, ମୁଁ ଗରିବ ବ୍ରାହ୍ମଣ । ମୋ ପାଖରେ ଏଇ କମଣ୍ତଳୁ ଓ ପାଛୁଡ଼ା ଛଡ଼ା ଆଉ କିଛି ନାହିଁ । ଏତକ ନେବ ତନଅ । ମତେ ଅକାରଣରେ ମାରିବ କାହିଁକି ? ମଣିଷ ମାରିବା ମହାପାପ । ଆଚ୍ଛା.ବାପା କହିଲ, ତୁମେ ଏତେ ପାପ କାଇଁକି ମୁଣ୍ତାଉଛ ?

 

ନାରଦ ହସି ହସି କହିଲେ–ସତ କଥା କହିଲ । ତୁମର ବାପା, ମାଆ, ଭାର୍ଯ୍ୟା, ପୁଅ, ଝିଅ ପ୍ରଭୃତିଙ୍କୁ ପୋଷିବା ପାଇଁ ଏତେ ପାପ କରୁଛ ? ଆଚ୍ଛା, ସେମାନଙ୍କୁ ପଚାରିଲ ତୁମର ଏ ପାପରୁ ସେମାନେ ଭାଗନେବେ ?

 

ରତ୍ନାକର ଉତ୍ତର ଦେଲା–ସେମାନେ କାହିଁକି ଭାଗ ନେବେ ନାହିଁ ? ଅଲବତ ନେବେ ।

 

ନାରଦ ମୁରୁକି ହସି କହିଲେ–ତୁମେ କହିଦେଲେ ହେବ ନାହିଁ । ଥରେ ଯାଇ ସେମାନଙ୍କୁ ପଚାରି ଆସିଲ ?

 

ରତ୍ନାକର ଥଟ୍ଟାଳିଆ ହସଟେ ହସି କହିଲା-ମତେ ଠକି ଦେଇ ଚାଲିଯିବାର ଏକ ଫନ୍ଦି କରୁଚୁ ନାହିଁ ? ତେବେ ତତେ ଏଇ ଗଛରେ ବାନ୍ଧି ଦେଇ ଘରକୁ ଯିବି । ଆସିଲେ ତୋର ମୋର କଥାବାର୍ତ୍ତା ।

 

ରତ୍ନାକର ଘରକୁ ଯାଇ ବାପାମାଆଙ୍କୁ ଏକଥା ପଚାରିଲା । ସେମାନେ ଦୁହେଁ କହିଲେ–କିରେ, ଆମେ କାଇଁକି ତୋ ପାପରୁ ଭାଗ ନେବୁ ? ଆମେ ତ କେତେ କଷ୍ଟ କରି ତୋତେ ଏଡ଼େରୁ ଏଡ଼େ କଲୁ । ଆମେ ବୁଢ଼ାବୁଢ଼ୀ ହେଲୁ । ଆମଙ୍କୁ ଚଳାଇବା ତୋର କାମ । ତୋ ପାପରୁ ଆମେ ଏବେ କାଣିଚାଏ କାଇଁକି ନେବୁ ?

 

ବାପାମାଆଙ୍କ କଥା ଶୁଣି ରତ୍ନାକର ମନରେ ଦୁଃଖ ହେଲା । ତେବେ ସେ ବହୁତ ଆଶା କରି ନିଜ ଭାର୍ଯ୍ୟାକୁ ପଚାରିଲା । ଭାର୍ଯ୍ୟା ହଠାତ୍‌ ଉତ୍ତର ଦେଲା କି କଥା ତୁମେ କହୁଚ ? ମୋତେ ବାହା ହେଲ । ମୋତେ ଚଳାଇବା ତୁମ କାମ । ତୁମେ ପାପ କି ପୁଣ୍ୟ କରି ଆମକୁ ଚଳାଉଚ ସେ କଥାରେ ଆମର ଯାଏ ଆସେ କେତେ ? ତୁମ ନରହତ୍ୟା ପାପରୁ ମୁଁ କାଇଁକି ଭାଗ ନେବି ? ମୋତେ କ’ଣ ନରକୁ ଯିବାକୁ ସୁଖ ଲାଗୁଚି କି ?

 

ପୁଅଝିଅମାନେ ବି ସେଇପରି କହିଲେ । ସବୁରି ଉତ୍ତର ଶୁଣି ରତ୍ନାକରର ମୁହଁ ଫିକା ପଡ଼ିଗଲା । ମନ ତାର ମରିଗଲା । ଚଉଦିଗ ତାକୁ ଅନ୍ଧାର ଦିଶିଲା । କେତେ ପାପ ସେନ କରିଚି-? ଏକାରାହାକେ ଧାଇଁ ଧାଇଁ ନାରଦଙ୍କ ପାଖରେ ପହଞ୍ଚିଲା । କାନ୍ଦ କାନ୍ଦ ହୋଇ ତାଙ୍କୁ ଗଛରୁ ଫିଟାଇ ତାଙ୍କ ଗୋଡ଼ତଳେ ଲମ୍ୱ ହୋଇ ପଡ଼ିଗଲା ।

 

ନାରଦ ତାକୁ ତଳୁ ଉଠାଇ କ’ଣ ହେଲା ପଚାରିଲେ । ରତ୍ନାକର ଉତ୍ତର ଦେଲା–ଗୋସେଇଁ, ଏ ମୂର୍ଖ ପାପୀକୁ ରକ୍ଷାକର । କିମିତି ଏ ପାପରୁ ତରିବିବାଟ ବତାଇଦିଅ ।

 

ନାରଦ ଦେଖିଲେ ଡକାୟତ ଅନୁତାପ କରିଚି । ତାକୁ ଏକଧ୍ୟାନରେ ରାମ ନାମ ଜପିବାକୁ କହି ସେ ସେଠାରୁ ଚାଲିଗଲେ ।

 

ରତ୍ନାକର ମନଧ୍ୟାନ ଲଗାଇ ‘ରାମ’ ନାମ ଜପ କରିବାରେ ଲାଗିଲା । ଦିନପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଲା । ଖିଆପିଆ ତ ଦୂରର କଥା । ଜପରୁ ସେ ଆଉ ଉଠିଲା ନାହିଁ । ଆସ୍ତେ ଆସ୍ତେ ତା ଉପରେ ଉଇ ହୁଙ୍କା ମାଡ଼ିଗଲା । କଠିନ ତପସ୍ୟା ବଳରେ ତାର ସବୁତକ ପାପ କଟିଗଲା । ହୁଙ୍କା ଭିତରୁ ଆଉ ମଣିଷମାରୁ ଡାକୁ ବାହାରିଲା ନାହିଁ, ବାହାରିଲେ ମହାଋଷି ବାଲ୍ମୀକି ।

 

ସୁକୁଟା ପଚାରିଲ–କ’ଣ ଚଇ ଅଜା ତା ନାଁ ପୁଣି ବାଲ୍ମୀକି କିମିତି ହେଲା ?

 

ଚଇତନ ଦାସ କହିଲେ ଆରେ ସଂସ୍କୃତ ଭାଷାରେ ବଲ୍ମୀକ ଅର୍ଥ ଉଇଦୁଙ୍କା । ସେ ବଲ୍ମୀକରୁ ବାହାରିବାରୁ ତା ନାଁ ବାଲ୍ମୀକି ହେଲା ।

 

ହୁରୁଷି–ସତେ ମଣିଷ ଜୀବନରେ ସବୁ ସମ୍ଭବ । ଭାଗବତରେ ଜଗନ୍ମାଥ ଦାସ ପରା କହିଛନ୍ତି । ମଣିଷ ମଧ୍ୟେଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଯେଉଁ ଲୋକ ମଣିଷ ମାରୁଥିଲ, ପୁଣି ଗୋଟିଏ ବଗ ଦେହରେ ଶରଟେ ବସି ଯିବାରୁ ମନରେ କି ଦୁଃଖ କଲା ? ତା ଶୋକରୁ ପୁଣି ଶ୍ଳୋକ ସୃଷ୍ଟି ହୋଇ ସାରା ଜଗତକୁ ମୁଗ୍‌ଧ କଲା ।

 

ସୁକୁଟା କହିଲା–ଆରେ ବାପା, ହୁରୁଷି କ’ଣ କେତେ କଥା ଜାଣି ଗଲାଣି । କାଲିକା ଯୋଗୀ, କ’ଣ କେତେ କଥା ଜାଣି ଗଲାଣି । କାଲିକା ଯୋଗୀ, କ’ଣ ମୁଣ୍ତରେ ଜଟା ! ଏ ଅଜାଙ୍କ ପାଖେ ପାଖେ ରହି ସବୁଥିରେ ପକ୍‌କା ହୋଇଗଲାଣି ଦେଖୁଛି ? ଅଜା, ହୁରୁଷି କ’ଣ କହିଲା ମୁଁ ତ ଧରି ପାରିଲି ନାହିଁ ।

 

ଚଇତନ ଦାସ କହିଲେ–ଆଉ ମତେ ରଖିବନି ଦେଖୁଚି ! ଆରେ ମହାଋଷି ବାଲ୍ମୀକି ଘରଦ୍ୱାର ଛାଡ଼ି ପବିତ୍ର ମତସାନଦୀ କୂଳରେ ଏକ ଆଶ୍ରମ କରି ରହିଲେ । ଦିନେ ସେ ନଦୀ କୂଳରେ ବସିଛନ୍ତି, ଦେଖିଲେ ଗଛର ଗୋଟିଏ ଡାଳରେ ବଗ ଓ ବଗୁଲୀ ହଳେ ବସିଛନ୍ତି । ହଠାତ୍‌ ଏକ ଶର କୁଆଡ଼ୁ ଆସ ବଗ କି ବଗୁଲୀ ଦେହରେ ଭେଦିଗଲା । ସେ ତଳକୁ ଖସି ପଡ଼ିଲା । ଋଷି ତା ଦେହରୁ ସିନା ଶରଟାକୁ ବାହାର କରିଦେଲେ, ହେଲେ ସେ ଛଟପଟ ହୋଇ ମରିଗଲା । ସେଥିଯୋଗୁଁ ବାଲ୍ମୀକିଙ୍କ ମନରେ ଖୁବ୍‌ କଷ୍ଟ ହେଲା । ସେ ପକ୍ଷୀ ଦୁହିଁଙ୍କର ବିକଳ ଦେଖି କାନ୍ଦି ପକାଇଲେ । ଏ ଅବସ୍ଥାରେ ସେ ଯାହା ଦୁଃଖରେ କହିଗଲେ ତାହା ଗୀତପରି ହୋଇଗଲା । ତାକୁ ବୋଲିବାକୁ ଯେମିତି ସରଳ ସହଜ ହେଲା, ତାକୁ ଶୁଣିବାକୁ ସେମିତି ସରସ ଓ ମଧୁର ହେଲା । ଲୋକେ ସେହି ଗୀତକୁ ‘ଶ୍ଳୋକ’ ବୋଲି କହିଲେ । ବାଲ୍ମୀକି ଏଇ ଗୀତ ପ୍ରଥମେ ଲେଖିଥିଲେ ବୋଲି ତାଙ୍କୁ ‘‘ଆଦିକବି’’ କୁହାଯାଏ । ଏହି ମହାଋଷି ବାଲ୍ମୀକି ପରା ସାତକାଣ୍ତ ରାମାୟଣ ଲେଖି ଯାଇଛନ୍ତି ।

 

ହୁରୁଷି କହିଲା–ଶୁଣିଲୁ ସୁକୁଟା ! ମୁଁ କ’ଣ ମିଛ କହୁଥିଲି । ଆରେ ଏ ଦୁନିଆଁ ବଡ଼ ଅଜବ । ସେଥିରେ ପୁଣି ସବୁଠୁଁ ବଡ଼ ଅଭୁତ ଏଇ ଆମର ଜୀବନ ଆଉ ସବୁ ନାଟର ଗୋବର୍ଦ୍ଧନ ହେଲା ଏଇ ଆମର ମନଖଣ୍ତକ । ଆରେ ବାବା ଯାହାର ମନ ଯେଡେ, ତାର ପ୍ରଭୁ ତେଡ଼େ ।

 

ମଧୁବାବୁ କହିଲେ ସତେତ, ଜଗନ୍ନାଥ ଦାସ ବି କହିଛନ୍ତି ମନର ମୂଳେ ଏ ଜଗତ । ମନ ସଫା ଥିଲେ ଗଡ଼ିଆ ଗଙ୍ଗା ! ଆମେ ଆମ ମନକୁ ଯେତେ ସଫା ରଖି ପାରିବା, ଏ ସଂସାର ସେତେ ସୁନ୍ଦର, ସେତେ ସରସ ହୋଇ ପାରିବ ! ନୁହେଁ ଅଜା ?

 

ଚଇତନ ଦାସଙ୍କ ଶୁଖିଲା ଆଖିରୁ ଆଶା ଆଉ ଆନନ୍ଦର ଲୁହ ଝରି ଆସୁଥିଲା । ସେ ଏସବୁ କଥା ଶୁଣି ଆକାଶ ପାତାଳ ଭାବି ଯାଉଥିଲେ । ଗାନ୍ଧୀବୁଢ଼ା କଥା ମନରେ ଗୋଟି ଗୋଟି ହୋଇ ପଡ଼ି ଯାଉ ଥିଲା । ଜାତିପ୍ରଥା ଦୂରକରିବା ପାଇଁ ହିନ୍ଦୁ ମୁସଲମାନ ଭେଦଭାବ ପୋଛି ଦେବାକୁ, ସମାଜର ସବୁ କଳଙ୍କ ସଫା କରି ଦେବାକୁ ଜାତିର ପିତା କେତେ କ’ଣ କହି ନାହାନ୍ତି ? କେତେ କ’ଣ କରି ନାହାନ୍ତି ? ଆଜି ସେ ସବୁ କଥା ଅନେକଙ୍କ ମନରୁ ଲିଭି ଗଲାଣି । ହେଲେ ତାଙ୍କର ଆଶା ଅଛି, ଦିନ ଆସୁଚି । ବୁଦ୍ଧ, ଅଶୋକ ଆଉ ଗାନ୍ଧୀଙ୍କର ଏଇ ଦେଶ ସହଜରେ ଏତେ ବାଟବଣା ହେବ ନାହିଁ । ଯେ ନିଜେ ଆଲୁଅ ଦେଖିବ, ଅନ୍ୟକୁ ଦେଖାଇବ । ନିଜେ ରାହା ପାଇବ, ଦୁନିଆକୁ ସାହା ହେବ ।

 

ଚଇତନ ଦାସ ଲୁଗା କାନିଟାରେ ମୁହଁ ପୋଛୁ ପୋଛୁ କହିଲେ–ସତରେ ମଧୁବାବୁ, ନିଜେ ଭଲ ଥିଲେ ଦୁନିଆ ଭଲ । ମନକୁ ଆମର ନିର୍ମଳ କରି ଜାତି, ଧର୍ମ, ପ୍ରଦେଶ ପ୍ରଭୃତିର ଭେଦଭାବ ଆଉ ସଂକୀର୍ଣ୍ଣତାକୁ ଭୁଲିଗଲେ ଏ ଦୁନିଆ ଆମର ସୁଖ ଓ ଶାନ୍ତିର ଲୀଳାଭୂଇଁ ହେବ । ଏଇ ଆମର ମାତୃଭୂମି ଏକ । ଆମେ ତା’ର କୋଟି କୋଟି ସନ୍ତାନ ! ସମସ୍ତେ ଆମେ ସାଥୀସୋଦର । ଏଇ ଭାବ ରଖିଲେ ଆମେ ସୁଖୀ ହେବା, ଦୁନିଆ ବି ସୁଖୀ ହୋଇପାରିବ ।

 

ଏତେବେଳେ ଗାଁ ମୁଣ୍ତରେ ଯୁଗମେଳାର ଉଦ୍‌ଯାପନ ଉତ୍ସବ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଜମିଗଲେଣି । ଭେରୀ, ତୂରୀ, କାହାଳୀ ବାଜି ଉଠିଲାଣି । ଜାତିର ନିଶାଣ ଶାନ୍ତି, ମୈତ୍ରୀ ଆଉ ପ୍ରଗତିର ଚିହ୍ନ ତ୍ରିରଙ୍ଗ ପତାକା ଫରଫର ଉଡ଼ୁଛି । ଅଳ୍ପ ଦୂରରେ ବଡ଼ ଦେଉଳରେ ନୀଳଚତ୍ର ବାନା ଶୋଭା ପାଉଛି । ସତେ ଯେମିତି ସେ ପ୍ରଚାର କରୁଛି ତୁମେ ସମସ୍ତେ ମିଳିମିଶି ଚଳ । ମନ ମିଳାଇ ସବୁକାମ କର । ଅନ୍ୟ ପ୍ରତି ସହିଷ୍ଣୁ ହୁଅ । ଏଇସବୁ ଭଲ ଗୁଣକୁ ନେଇ ଆମ ଦେଶର ସଂସ୍କୃତି ଗଢ଼ି ଉଠିଛି ଯୁଗଯୁଗ ଧରି ।

 

ଗାଁ ମୁଣ୍ତ ବିଦ୍ୟାଳୟରୁ ଭାସି ଆସୁଚି ପିଲାମାନଙ୍କର ଶପଥ ପାଠ ।

 

ଭାରତ ଅଟଇ ମାତୃଭୂମିମୋର ଯେତେ ତାର ନାରୀନର, ସରବେ ମୋହର ଅତି ଆପଣାର ସହୋଦରା ସହୋଦର । ମୋ ଦେଶକୁ ମୁହିଁ ଭଲଯାଏ, ତାର ପୁରାତନ ପରମ୍ପରା, ସୁନ୍ଦର, ବିଶାଳ, ସମୁନ୍ନତ ପୁଣି ମୋର ଗରବ ପସରା । ତାହାରି ସୁଯୋଗ୍ୟ ଦାୟାଦ ହେବାଟି ଅଟଇ ମୋ ବ୍ରତସାର, ପିତାମାତା, ଶିକ୍ଷାଦାତା ଗୁରୁଜନ ସଭିଙ୍କୁ ମୋ ନମସ୍କାର । ଦେଶ ଆଉ ମୋର ଦେଶବାସୀ ପଦେ ଜୀବନ ମୋ ସମର୍ପିତ, ତାହାଙ୍କ କଲ୍ୟାଣ ଉନ୍ମତିରେ ମୋର ସକଳ ସୁଖ ନିହିତ । ଏଇ ଅବସ୍ଥାରେ କି କାହାରି ମନ ଥୟ ଧରେ । ସମସ୍ତଙ୍କ ମନରେ ଆବେଗ ଉଚ୍ଛ୍ୱାସ ଆଉ ଆଶା ଆନନ୍ଦର ଢେଉ ଖେଳି ଯାଉଛି ।

 

ଚଇତନ ଦାସ କହିଲେ ଚାଲ ପିଲେ, ସଭାକୁ ଯିବା । ଆଜି ପରା ଯୁବମେଳାର ଶେଷ ଦିନ !

 

ହୁରୁଷି ମୁରୁକି ହସି କହିଲା ହଁ ଅଜା, ଆର୍ଜିପରା ତୁମ କଥାରେ କହିଲେ ଆମ ଜାତି–ରଥର ବାହୁଡ଼ା ଯାତ ! ଖାଲି ଯାତ ଦେଖି ଯିବାପାଇଁ କହୁଚ ଅଜା ! ଆମ ଯାତଖର୍ଚ୍ଚ କାଇଁ ? (ସମସ୍ତେ ହସି ଉଠିଲେ ।)

 

ଚଇତନ ଦାସ ମଧ୍ୟ ହସି ହସି କହିଲେ ବାଃ ପିଲାଟା ତା’ହେଲେ ସେଦିନର କଥା ମନେରଖିଛି । ଜାଣିଲୁ ନାତି, ତୁମ୍ଭେମାନେ ଏଇସବୁ ଆଲୋଚନା ମନେରଖି, ସେଇ ଅନୁସାରେ କାମ କଲେ ସେ ହେବ ମୋର ତୁମପାଇଁ ସବୁଠୁଁ ବେଶୀ ଜାତଖର୍ଚ୍ଚ ! ଯାତଖର୍ଚ୍ଚ ସିନା ଦିନକର କଥା, ହେଲେ ଭଲ ମଣିଷ ହେବା ଆଉ ଦେଶକୁ ଆମର ଭଲ କରିବା ପରା ସବୁଦିନିଆ କଥା ।

 

ଅଜାଙ୍କ ପାକୁଆ ପାଟିରୁ ଏସବୁ ପୋଖତ କଥା ଶୁଣି ନାତିମାନଙ୍କ ମୁହଁ ଆଶା ଆଉ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠୁଥିଲ ।

Image